ଲକ୍ଷ୍ନୌ: ସମାଜବାଦ ପାର୍ଟିର ପ୍ରତିଷ୍ଠାତା, ସଂସ୍ଥାପକ, ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଗତକାଲି ଦେହାନ୍ତ ହୋଇଥିବା ବେଳେ ଆଜି ହେବ ତାଙ୍କ ଶେଷକୃତ୍ୟ । ନିଜ ପୈତୃକ ଗାଁ ସୈଫାଇରେ ଆଜି ପଞ୍ଚଭୂତରେ ବିଲୀନ ହେବ ମୁଲାୟମ ସିଂ ଯାଦବଙ୍କ ପାର୍ଥୀବ ଶରୀର ।
ଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିବା ମୁଲାୟମ ସିଂ ଯାଦବ ଗତକାଲି ଆଖି ବୁଜିଥିଲେ। ଏହାପରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହକୁ ଇଟାୱା ଜିଲ୍ଲାସ୍ଥିତ ପୈତୃକ ଗାଁ ସୈଫାଇକୁ ଅଣାଯାଇଥିଲା। ନିଜ ପ୍ରିୟ ନେତାଜୀଙ୍କ ଶେଷ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ସୈଫାଇରେ ଭିଡ଼ ଜମାଇଛନ୍ତି।
ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଆଜି ସକାଳ ପ୍ରାୟ ୧୦ଟା ବେଳେ ନେତାଜୀଙ୍କ ମୃତଦେହ ସୈଫାଇ ଗାଁର ଏକ ପେଣ୍ଡାଲରେ ରଖାଯିବ। ଅପରାହ୍ନ ପ୍ରାୟ ୨ଟାରେ ମୁଲାୟମ ସିଂ ଯାଦବଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନକୁ ନିଆଯିବ । ଏହା ପରେ ଅପରାହ୍ନ ୩ଟାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନରେ ତାଙ୍କ ଶବଦାହ କରାଯିବ। ମୁଲାୟମଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।
ମୁଲାୟମ ସିଂଙ୍କ ଅନ୍ତିମ ସଂସ୍କାରରେ ବହୁ ହାଇ ପ୍ରୋଫାଇଲ ନେତା, ମନ୍ତ୍ରୀ ପ୍ରମୁଖ ଯୋଗ ଦେବେ। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଥିବା ଜଣାଯାଇଚି।
କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସୈଫାଇରେ ପହଞ୍ଚି ମୁଲାୟମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ମୁଲାୟମ ସିଂଙ୍କ ଅନ୍ତିମ ସଂସ୍କାରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ସାଂସଦ ମୁଖ୍ୟ ତଥା କଂଗ୍ରେସ ନେତା କମଲ ନାଥ ମଧ୍ୟ ଯୋଗଦେବେ।
ମୁଲାୟମ ସିଂ ଯାଦବ ୧୦ ଥର ବିଧାୟକ ଏବଂ ସାତଥର ସାଂସଦ ଓ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଏହାବାଦ ୧୯୯୬ରୁ ୯୮ ମସିହା ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ମୁଲାୟମ ସିଂ ଯାଦବ ବହୁ ଦଶନ୍ଧି ଧରି ଜାତୀୟ ନେତା ଭାବରେ ପ୍ରତିଷ୍ଠିତ ହୋଇଥିଲେ କିନ୍ତୁ ଉତ୍ତରପ୍ରଦେଶରେ ସେ କ୍ଷମତାର ଶୀର୍ଷକୁ ଛୁଇଁପାରିଥିଲେ । ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଓ ଡକ୍ଟର ରାମମନୋହର ଲୋହିୟାଙ୍କ ଆଦର୍ଶରେ ଅନୁପ୍ରାଣିତ ମୁଲାୟମ ନିଜକୁ ଜଣେ ସଫଳ ରାଜନୀତିଜ୍ଞ ଭାବେ ପ୍ରତିପାଦିତ କରି ପାରିଥିଲେ। ମୁଲାୟମଙ୍କ ବିୟୋଗରେ ସମଗ୍ର ଦେଶବାସୀଙ୍କୁ ଏକ ଶକ୍ତ ଝଟକା ଲାଗିଛି।
The post ଆଜି ହେବ ମୁଲାୟମଙ୍କ ଶେଷକୃତ୍ୟ, ଯୋଗ ଦେବେ ବହୁ ହାଇ ପ୍ରୋଫାଇଲ ନେତା appeared first on Odisha Reporter.
from Odisha Reporter https://ift.tt/vqT05O7
No comments:
Post a Comment