କଟକ (ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ରାଜ୍ୟର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା। ତାଙ୍କ ନାଁ ଭିକି ସ୍ୱାଇଁ। ସେ କଟକ ଚାନ୍ଦିନୀ ଚୌକ ଅଞ୍ଚଳରେ ରହନ୍ତି।
ଉକ୍ତ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ତଥା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ଗତକାଲି ରାତିରେ ଭିକି ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ତାଙ୍କ ସହ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ କରୁଛି।
ଏହି ଘଟଣାଟି ଗାଡ଼ି ସାଇଡ୍ ମରାକୁ ନେଇ ଗତ ଗୁରୁବାର ଦିନ ଘଟିଥିଲା। ସେହିଦିନ ଅପରାହ୍ନରେ ଭିକି ସ୍ୱାଇଁ ଓ ତାଙ୍କର ୧୦ରୁ ୧୨ ସାଥୀ ୩ଟି କାରରେ ଯାଉଥିବା ବେଳେ ପ୍ରତାପନଗରୀ ଅଞ୍ଚଳରେ ଥିବା ଏକ କାର୍ ଶୋ’ରୁମ୍ ନିକଟରେ ଅନ୍ୟ ଏକ କାର ପଛରୁ ଆସି ସେମାନଙ୍କୁ ଓଭର ଟେକ୍ କରିଥିଲା। ଏହି ସମୟରେ ଭିକି ସ୍ୱାଇଁ ଓ ତାଙ୍କର ସାଥୀମାନଙ୍କ ୩ଟି କାର୍ ମଧ୍ୟରୁ ଗୋଟିକରେ ତାହା ଘଷି ହୋଇଯାଇଥିଲା। ଏହା ପରେ ଉକ୍ତ କାରକୁ ଅଟକାଇ ଚାଳକଙ୍କୁ ଉଠାଇ ଆଣିଥିଲେ ଭିକି ସ୍ୱାଇଁ ଓ ତାଙ୍କ ସାଥୀମାନେ। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ରାସ୍ତାରେ ମାଡ଼ ମାରିବା ସହ ଆଣ୍ଠେଇ ଦେଇଥିଲେ। ଏପରିକି ସ୍ଥାନୀୟ କିଛି ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ୨ ଜଣ ଯୁବକ ସ୍କୁଟର ପଛ ପଟେ ଜଣେ ଯୁବକଙ୍କୁ ରଶିରେ ବାନ୍ଧି ଦୌଡ଼ାଇ ଦୌଡ଼ାଇ ୩ଟି ଟ୍ରାଫିକ୍ ଛକ ଅତିକ୍ରମ କରିଥିଲେ। ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକ ପର୍ଯ୍ୟନ୍ତ ସେମାନେ ଉକ୍ତ ଯୁବକଙ୍କୁ ଏମିତି ଅବସ୍ଥାରେ ନେଇଥିଲେ। ଏ ଘଟଣାରେ କଟକ ପୁଲିସ୍ ତୀବ୍ର ସମାଲୋଚନାର ଶିକାର ହୋଇଥିଲା। ସୋଶାଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
The post ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା appeared first on Odisha Reporter.
from Odisha Reporter https://ift.tt/dTC1Qnb
No comments:
Post a Comment