ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ୧୦ମ ଦିନରେ ୪ ଦଳ ରାଉଣ୍ଡ ୧୬ ବା ନକଟଆଉଟ ଷ୍ଟେଜରେ ପହଞ୍ଚିଛନ୍ତି। ଗ୍ରୁପ ଏରୁ ସେନେଗଲ ଓ ନେଦରଲ୍ୟାଣ୍ଡ୍ସ ଯଥାକ୍ରମ ଦ୍ୱିତୀୟ ଓ ପ୍ରଥମ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ସେହିପରି ଗ୍ରୁପ ବି’ରୁ ଇଂଲଣ୍ଡ ଓ ଆମେରିକା ରାଉଣ୍ଡ ୧୬ରେ ସ୍ଥାନ ପକ୍କା କରିଛନ୍ତି। ଏବେ ନକଆଉଟ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ୍ସ ଗ୍ରୁପ ବି’ର ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାକୁ ଭେଟିବ। ସେହିପରି ଇଂଲଣ୍ଡ ଓ ସେନେଗଲ ଟପ୍ ୮ରେ ପହଞ୍ଚିବାକୁ ଲଢ଼େଇ କରିବେ।
ମଙ୍ଗଳବାର ଗ୍ରୁପ ଏ’ର ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ଆୟୋଜକ କତାରୁ ୨-୦ରେ ପରାସ୍ତ କରିଥିଲା। ଦଳ ପକ୍ଷରୁ କୋଡୀ ଗାକପୋ ଓ ଫେରନକେ ଡେ ଜୋଙ୍ଗ ଗୋଲ ସ୍କୋର କରିଥିଲେ। ସେହିପରି ଗ୍ରୁପ ଏ’ର ଦ୍ୱିତୀୟ ମ୍ୟାଚରେ ସେନେଗଲ ୨-୧ରେ ଇକ୍ୱିଡରକୁ ହରାଇଛି। ଏଥିସହ ଦୀର୍ଘ ୨୦ ବର୍ଷ ପରେ ସେନେଗଲ କୌଣସି ବିଶ୍ୱକପରେ ରାଉଣ୍ଡ ୧୬ ପର୍ଯ୍ୟାୟରେ ପହଞ୍ଚିଛି।
ରାତି ୧୨.୩୦ରେ ଗ୍ରୁପ ବି’ର ୨ଟି ଯାକ ମ୍ୟାଚ ଖେଳା ଯାଇଥିଲା। ଇଂଲଣ୍ଡ ପଡ଼ୋଶୀ ୱେଲ୍ସକୁ ଭେଟିଥିବା ବେଳେ ଆମେରିକାର ମୁକାବିଲା ଇରାନ ସହ ହୋଇଥିଲା। ଇଂଲଣ୍ଡ ଏଯାଏ ବିଶ୍ୱକପରେ ହାରି ନଥିବାରୁ ଦଳକୁ କେବଳ ନିଜର ଶେଷ ମ୍ୟାଚକୁ ଡ୍ର ରଖିବାର ଥିଲା। ହେଲେ ହ୍ୟାରୀ କେନ୍ଙ୍କ ଇଂଲଣ୍ଡ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ମାର୍କସ ରଶଫର୍ଡଙ୍କ ଡବଲ ଗୋଲ ଓ ଫିଲ ଫୋଡେନଙ୍କ ଗୋଟିଏ ଗୋଲରେ ଦଳ ୱେଲ୍ସକୁ ୩-୦ରେ ହରାଇ ଦେଇଛି। ଏଥିସହ ୭ ପଏଣ୍ଟ ସହ ରାଉଣ୍ଡ ୧୬କୁ ଯାଇଛି।
ଆମେରିକାର ଓ ଇରାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳ ପାଇଁ ମ୍ୟାଚ୍ ଜିତିବା ଏକ ପ୍ରକାରର ଜରୁରୀ ଥିଲା। ତେଣୁ ଉଭୟ ଟିମ୍ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ମ୍ୟାଚ୍ର ୩୮ତମ ମିନିଟରେ ଆମେରିକାର କ୍ରିଷ୍ଟିଆନ ପୁଲିସିକ ଚମତ୍କାର ଢଙ୍ଗରେ ଗୋଲ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ।
ଏହାପରେ ଇରାନ କାଉଣ୍ଟର ଆଟାକ କରିଥିଲା। ହେଲେ ଆମେରିକାର ରକ୍ଷଣଭାଗ ଇରାନର ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ଏଥିସହ ୧-୦ରେ ମ୍ୟାଚ୍ ଜିତି ଇରାନକୁ ଚଳିତ ବିଶ୍ୱକପରୁ ବାହାର ରାସ୍ତା ଦେଖାଇଛି।
ଏହାପୂର୍ବରୁ ବିଭିନ୍ନ ଗ୍ରୁପ୍ରୁ ଫ୍ରାନ୍ସ, ପର୍ତ୍ତୁଗାଲ ଓ ବ୍ରାଜିଲ ରାଉଣ୍ତ ୧୬ରେ ପ୍ରବେଶ କରିଥିଲେ।
The post ଫିଫା ବିଶ୍ୱକପ: ରାଉଣ୍ଡ ୧୬ରେ ଆମେରିକା, ଇଂଲଣ୍ଡ, ସେନେଗଲ ଓ ନେଦରଲ୍ୟାଣ୍ଡ୍ସ appeared first on Odisha Reporter.
from Odisha Reporter https://ift.tt/Q8qHcn1
No comments:
Post a Comment