ଫୁଲବାଣୀ(ତ୍ରିନାଥ ସାହୁ): ରାତି ଅଧରେ ବ୍ୟବସାୟୀଙ୍କୁ ଘରୁ ଥାନାକୁ ଉଠାଇ ନେଲେ। କିଛି ନ ଶୁଣି ଥାନାରେ ଥାର୍ଡ ଡିଗ୍ରୀ ଦେଲେ ଆଇଆଇସି । ବ୍ୟବସାୟୀଙ୍କ ଛାତିକୁ ଗୋଇଠା ମାରିବା ସହ ଗୋଡ଼କୁ ଗୋଇଠା ମାରି ଚାଲିଲେ । ସ୍ୱାମୀଙ୍କୁ ନ ମାରିବାକୁ ପତ୍ନୀଜଣକ ନେହୁରା ହେଉଥିବା ବେଳେ ଆଇଆଇସି କିନ୍ତୁ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାକୁ ପଛାଇଲେ ନାହିଁ।
ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରିଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆର ଜଣେ ଲୁଗା ବ୍ୟବସାୟୀ ସୁମନ କୁମାର ସାହୁ ଏବଂ ତାଙ୍କ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନ ।
ଏନେଇ ସୁମନଙ୍କ ପତ୍ନୀ ସୁଭଦ୍ରା ଗତ ୩୦ ତାରିଖରେ ରାଇକିଆ ଥାନାରେ ଗୋପାଳପୁର ଥାନା IIC ଶ୍ରୀକାନ୍ତ ଖମାରି ଏବଂ ସ୍ମୃତିରେଖା ସାହୁ ନାମ୍ନୀ ମହିଳାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିସହ ବ୍ରହ୍ମପୁର ଏସ୍ପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଯିଏ ବି ଦୋଷୀ ଥିବ ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ଏସ୍ପି ଶ୍ରବଣା ବିବେକ ଏମ୍ ।
ସୁଭଦ୍ରା କରିଥିବା ଅଭିଯୋଗ ଅନୁଯାୟୀ, ସ୍ମୃତିରେଖା ସାହୁ ନାମ୍ନୀ ମହିଳାଙ୍କଠାରୁ ସେ ଓ ତାଙ୍କ ସ୍ୱାମୀ ପୂର୍ବରୁ ୪ ଲକ୍ଷ ଟଙ୍କା ଧାର ଆଣିଥିଲେ। ଉକ୍ତ ଟଙ୍କା ସବୁ ଅନଲାଇନ୍ ଟ୍ରାଞ୍ଜାକସନ ଜରିଆରେ ଶୁଝା ସରିଥିଲେ ବି ଏଗ୍ରିମେଣ୍ଟ ପେପର ସ୍ମୃତିରେଖାଙ୍କ ପାଖରେ ରହିଛି। ଫଳରେ ତାହାକୁ ଦେଖାଇ ସେ ବାରମ୍ବାର ଟଙ୍କା ମାଗୁଛନ୍ତି । ଏନେଇ ପୂର୍ବରୁ ବି ଥାନାରେ ମାମଲା ରୁଜୁ ହୋଇଛି।
ଅଚାନକ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଏକ ପ୍ରାଇଭେଟ ଗାଡ଼ିରେ ୫ ଜଣ ପହଞ୍ଚି ନିଜକୁ ଥାନା ଷ୍ଟାଫ ବୋଲି କହିଥିଲେ। ଏପରିକି ଆଇଆଇସିଙ୍କ ଅର୍ଡର ଥିବାରୁ ତୁରନ୍ତ ଥାନା ଯିବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ବେଳେ ସେମାନେ ବଳପୂର୍ବକ ସୁମନ ଓ ତାଙ୍କ ପତ୍ନୀଙ୍କୁ ଗାଡ଼ିରେ ବସାଇଥିଲେ। ଗାଡ଼ିରେ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିବା ବେଳେ ଏହାପରେ ପ୍ରଥମେ ରାଇକିଆ ଥାନା ଓ ସେଠାରୁ ଫୁଲବାଣୀ ଥାନାକୁ ନେଇଥିଲେ।
ସେଠାରେ ଆଇଆଇସି ଶ୍ରୀକାନ୍ତ ଖମାରି ପହଞ୍ଚି କୌଣସି କଥା ନ ଶୁଣି ସୁମନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଏପରିକି ସେଠାରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ଏହାର ବିରୋଧ କରିବାରୁ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ବ୍ୟବସାୟୀଙ୍କୁ ଅକଥନୀୟ ମାଡ଼ ମାରି ଲହୁଲୁହାଣ କରିଦେବା ସହିତ ତାଙ୍କ ଦୁଇ ଗୋଡ଼କୁ ବି ଫଟାଇ ଦେଇଛନ୍ତି ଆଇଆଇସି ।
ସୁମନଙ୍କ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନ ଏହାର ବିରୋଧ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଥାନାର ଗୋଟିଏ କୋଠରୀରେ ବନ୍ଦ କରି ଦେଇଥିଲେ ଆଇଆଇସି। ଦୀର୍ଘ ସମୟ ପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରିଥିବା କହିଛନ୍ତି ସୁଭଦ୍ରା । ଏହାପରେ ସୁମନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଇକିଆ ଥାନା ପୁଲିସ କାହାକୁ ଗିରଫ କରି ନାହିଁ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଉଭୟ ପତିପତ୍ନୀ ଆତ୍ମହୁତି ଦେବେ ବୋଲି ଫୁଲବାଣୀରେ ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି ।
ଘଟଣାରେ ରାଇକିଆ ଥାନା ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି ବୋଲି ରାଇକିଆ ଥାନା IIC ରାମକାନ୍ତ ପାତ୍ର କହିଛନ୍ତି ।ତେବେ ଘଟଣାରେ ବ୍ରହ୍ମପୁର ଏସ.ପି ଶରଭନ ଭିବେକ ଏମ କହିଛନ୍ତି ଅଭିଯୁକ୍ତ IIC ଖମାରିଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ଏବଂ ଘଟଣାର ତଦନ୍ତଭାର ଜଣେ Additional SP ଙ୍କୁ ଦିଆଯାଇଛି । ୪ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦିଆଯାଇଛି, ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପୀଡ଼ିତ ବ୍ୟବସାୟୀ ସୁମନ କୁମାର ସାହୁ କହିଛନ୍ତି, ମୁଁ ରାଇକିଆରେ ଏକ ଲୁଗା ଦୋକାନ କରିଛି। ସ୍ମୃତି ରେଖାଙ୍କ ଠାରୁ ୪ ଲକ୍ଷ ଧାର ଆଣିଥିଲି, ୯ ଲକ୍ଷ ଫେରାଇଛି। ହେଲେ ଏହା ପରେ ବି ସେ ପୁଣି ଥରେ ଥାନାରେ ମିଛ ଅଭିଯୋଗ କରିଥିବା ବେଳେ ପୁଲିସ୍ ମୋତେ ଆଣି ପିଟିଛି। ଥାନାରେ ଆଇଆଇସି ଜୋରଜବରଦସ୍ତ ଚାପ ପକାଇବାରୁ ସକାଳେ ଦେଢ ଲକ୍ଷ ଦେବି ବୋଲି ଲିଖିତ ଭାବେ ଦେଇଛି। ଜୀବନ ରକ୍ଷା ପାଇଁ ତାଙ୍କର ସବୁ କଥାରେ ହଁ ମାରି ସାଇନ୍ କରି ରାତି ପ୍ରାୟ ୯ଟାରେ ଥାନାରୁ ବାହାରିଲି।
The post ଆଇଆଇସି ନା ଜହ୍ଲାଦ: ବ୍ୟବସାୟୀଙ୍କୁ ଗୋରୁ ପରି ପିଟିଲେ, ପତ୍ନୀଙ୍କୁ ବି ଛାଡ଼ିଲେନି appeared first on Odisha Reporter.
from Odisha Reporter https://ift.tt/tpVzCj8
No comments:
Post a Comment