ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ କରାଯାଇଛି। ରିପୋର୍ଟରେ ଏହା ସ୍ୱାଭାବିକ ଥିବା ସ୍ପଷ୍ଟ ହୋଇଛି। ତେବେ ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ଆଜି ତାଙ୍କ ଆଙ୍କେଲ ଓ ଆଣ୍ଠୁର ଏମଆରଆଇ କରାଯାଇ ଆହତ ସମସ୍ୟା କେତେ ଗୁରୁତର ତା’ର ତର୍ଜମା କରାଯିବ ବୋଲି ଜଣାପଡ଼ିଛି।
ଶୁକ୍ରବାର ଭୋର ସମୟରେ ପନ୍ତ ତାଙ୍କ ମର୍ସିଡିଜ୍ କାର ଯୋଗେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ। ତେବେ ରୁର୍କୀ ନିକଟରେ ପନ୍ତଙ୍କ ଆଖି ଲାଗି ଯିବାରୁ ତାଙ୍କ କାର୍ ଡିଭାଇଡର ରେଲିଂରେ ପିଟି ହୋଇ ଜଳି ଯାଇଥିଲା। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାର୍ର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।
ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମୁଣ୍ଡ, ପିଠି ଓ ଗୋଡ଼ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଏଥିପାଇଁ ଡେରାଡୁନର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୁକ୍ରବାର ତାଙ୍କର ବିଭିନ୍ନ ପରୀକ୍ଷା କରାଯିବା ସହ ବ୍ରେନ ଓ ମେରୁଦଣ୍ଡର ଏମଆରଆଇ କରାଯାଇଥିଲା।
ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଠିକ ଅଛି। ତେବେ ତାଙ୍କ ଆଣ୍ଠୁ ଓ ଆଙ୍କେଲ ବର୍ତ୍ତମାନ ଫୁଲିବା ଆରମ୍ଭ ହୋଇଛି। ସେହିପରି ସେ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଛନ୍ତି। ତେଣୁ ଆଜି ଆଣ୍ଠୁ ଓ ଆଙ୍କେଲର ଏମଆରଆଇ କରାଯିବ। ତାଙ୍କ ଡାହାଣ ଆଣ୍ଠୁରେ ଲିଗାମେଣ୍ଟ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ମାକ୍ସ ହସ୍ପିଟାଲ ପକ୍ଷରୁ ତାଙ୍କୁ ଆଣ୍ଠୁ ଉପରେ ସ୍ପ୍ଲିଟେଜ ପାଇଁ ପରାମର୍ଶ ଦିଆଯାଇଛି। ଏହାବାଦ ଆଙ୍କେଲ ଲିଗାମେଣ୍ଟ ସମସ୍ୟାରେ ମଧ୍ୟ ପନ୍ତ ପଡ଼ିବା ଆଶଙ୍କା କରାଯାଉଛି। କିନ୍ତୁ ଏମଆରଆଇ ପରେ ସବୁ କିଛି ସ୍ପଷ୍ଟ ହେବ। ଏବେ ପନ୍ତଙ୍କ ଅବସ୍ଥା ସ୍ଥିର ରହିଛି ଓ ସେ ହୋଶରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଦିଲ୍ଲୀ କ୍ରିକେଟ ବୋର୍ଡର ଗୋଟିଏ ଟିମ ମାକ୍ସ ହସ୍ପିଟାଲର ଡାକ୍ତରମାନଙ୍କ ସହ କଥା ହେବାକୁ ଡେରାଡୁନ ଯିବ ବୋଲି ଜଣାପଡ଼ିଛି। ଉକ୍ତ ଟିମ ସେଠାରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସମୀକ୍ଷା କରିବ। ଏହାପରେ ଯଦି ଦରକାର ପଡ଼ିବ, ତା’ହେଲେ ଅଧିକ ଚିକିତ୍ସା ଓ ଅନ୍ୟ ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ ମଧ୍ୟ କରାଯିବା ବ୍ୟବସ୍ଥା କରାଯିବ ବୋଲି ଡିଡିସିଏ କହିଛି।
The post ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ଠିକ ଅଛି, ସରିଲା ପ୍ଲାଷ୍ଟିକ ସର୍ଜରୀ appeared first on Odisha Reporter.
from Odisha Reporter https://ift.tt/j3BomRQ
No comments:
Post a Comment