ବାରିପଦା(ମାଣିକ ଲାଲ ପାଣି): ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଶିକାରୀମାନେ ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ପୋଡ଼ି ଦେଇଥିଲେ ବନ କର୍ମଚାରୀ। ଏପରି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ସାଂଘାତିକ ଘଟଣା ସାମନାକୁ ଆସିଛି। ଏଥର ଶିମିଳିପାଳରୁ ଏକ ମହାବଳ ବାଘର ଚମଡ଼ା ଜବତ ହୋଇଛି।
ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ଧରା ପଡ଼ି ଯାଇଛନ୍ତି ଶିକାରୀ । ଏସ୍ଟିଏଫ୍ ଜଣେ ଶିକାରୀକୁ ଧରିଥିବା ବେଳେ ଦୁଇ ଜଣ ଚଂପଟ ମାରିଛନ୍ତି ।
ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ ଆଜି ସକାଳେ ୩ ଜଣ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏସଟିଏଫ ଖବର ପାଇଥିଲା। ଏହାପରେ ଏସଟିଏଫ ଟିମ୍ ଗରାଖ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ। ୫ ଲକ୍ଷରେ ଡିଲ୍ ଫାଇନାଲ ହୋଇଥିଲା। ଏହାପରେ ହଠାତ୍ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।
ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିବା ବେଳେ ତାହାର ଶରୀର କୁଆଡ଼େ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି।
ପ୍ରାୟ ମାସେ ପୂର୍ବେ ଶିମିଳିପାଳରେ ଦନ୍ତା ଶିକାର ପରେ ତାହାର ଦାନ୍ତ କାଟି ନେଇଥିଲେ ଶିକାରୀ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ହାତୀର ମୃତଦେହକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ। ଏହି ଘଟଣାରେ ଶିମିଳିପାଳର ୩ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇନି ବୋଲି ଗତକାଲି ପଚାରିଥିଲେ ହାଇକୋର୍ଟ । ଏପରିକି ଏହି ଘଟଣାରେ ହାଇକୋର୍ଟ ପିସିସିଏଫ ଓ ଏସ୍ଟିଏଫଙ୍କୁ କଡ଼ା ଭର୍ତ୍ସନା କରିବାକୁ ପଛାଇ ନାହାନ୍ତି।
ଶିମିଳିପାଳକୁ ସୁରକ୍ଷା ଦେବାକୁ ବହୁ ସଂଖ୍ୟାରେ ବନ କର୍ମଚାରୀ ନିୟୋଜିତ ଥିବା ବେଳେ ଏହାର ପ୍ରବେଶ ଉପରେ ବହୁ କଟକଣା ଜାରି କରାଯାଇଛି। ତନଖି ଫାଟକ ପାଖରେ ଟିକିନିଖି ଯାଞ୍ଚ କରି ଲୋକଙ୍କୁ ଭିତରକୁ ଛଡ଼ା ଯାଉଥିବା ବେଳେ ତା’ ଭିତରକୁ ଶିକାରୀ କିପରି ମାରଣାସ୍ତ୍ର ସହ ପ୍ରବେଶ କରୁଛନ୍ତି ଓ ଶିକାର ପରେ ସୁରୁଖୁରରେ ବାହାରକୁ ଆସି ହାତୀ ତଥା ବାଘଙ୍କ ଦାନ୍ତ, ଚମଡ଼ା ଆଦି ବିକ୍ରି କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବନ କର୍ମଚାରୀଙ୍କ ବିନା ସହଯୋଗ ତଥା ସଲାସୁତୁରାରେ ଏପରି ବନ୍ୟଜନ୍ତୁ ଶିକାର କରିବା ସମ୍ଭବପର ନୁହେଁ ବୋଲି ଆଲୋଚନା ହେଉଛି।
The post ଶିମିଳିପାଳ ଏବେ ଶିକାରୀଙ୍କ ଭୂସ୍ୱର୍ଗ: ଜବତ ହେଲା ମହାବଳ ବାଘ ଚମଡ଼ା appeared first on Odisha Reporter.
from Odisha Reporter https://ift.tt/WcFpM7h
No comments:
Post a Comment