ବାରିପଦା(ମାଣିକ ଲାଲ ପାଣି): ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନେକ ଆଦିବାସୀ ସଙ୍ଗଠନ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି। ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଉପଖଣ୍ଡର ବିଶୋଇ, ଜଶିପୁର,ବହଳଦା ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
୨୦୦୭ ମସିହାରେ ଆଦିବାସୀ ଭାଷା ଶିକ୍ଷକଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଇ ନାହିଁ। ଏହାସହ ସେମାନଙ୍କ ବେତନକୁ ବୃଦ୍ଧି କରାଯାଇ ନଥିଲା।ଏଥିପାଇଁ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଲାଗି ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ସରକାରୀ ଶିକ୍ଷକ ୬୦ ହଜାର ଟଙ୍କାରୁ ଅଧିକ ବେତନ ପାଉଥିବା ବେଳେ ଆଦିବାସୀ ଭାଷା ଶିକ୍ଷକମାନଙ୍କୁ ମାତ୍ର ୩୨୦୦ ଟଙ୍କା ଦିଆଯାଉଛି। ଆଦିବାସୀ ଭାଷା ଶିକ୍ଷକଙ୍କୁ ପ୍ରତାରଣା ଦିଆଯାଇଛି ବୋଲି ଆଦିବାସୀ ଭାଷା ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବା ବୋଲି ଚେତାବନୀ ଦିଆଯାଇଛି।
The post ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ appeared first on Odisha Reporter.
from Odisha Reporter https://ift.tt/Ovzrt6Q
No comments:
Post a Comment