ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପୁଣି ଡରାଉଥିବା ବେଳେ ଭାରତରେ ନାଜାଲ ଟିକା ବା ନାକରେ ପଡ଼ି ପାରୁଥିବା ଟିକାର ପ୍ରଚଳନ କରାଯାଇଛି। କୋୱିନ ଆପ୍ ଜରିଆରେ ପଞ୍ଜୀକରଣ କରି ଜଣେ ପ୍ରାପ୍ତ ବୟସ୍କ ଏହି ଟିକାକୁ ନେଇ ପାରିବେ। କିନ୍ତୁ କରୋନା ବିରୋଧରେ ବୁଷ୍ଟର ବା ତୃତୀୟ ଡୋଜ୍ ନେଇ ସାରିଥିବା ଲୋକମାନେ କ’ଣ ନାଜାଲ ଟିକାକୁ ବ୍ୟବହାର କରିପାରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହାର ଜବାବ ଦେଇଛନ୍ତି ଦେଶର କୋଭିଡ୍ ଟାକ୍ସଫୋର୍ସର ମୁଖ୍ୟ ଡାକ୍ତର ଏନକେ ଅରୋରା।
ସେ କହିଛନ୍ତି, “ନାଜାଲ ଟିକାକୁ କରୋନା ବିରୋଧରେ ପ୍ରଥମ ବୁଷ୍ଟର ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି, ତା’ହେଲେ ସେ ନାଜାଲ ଟିକା ନେଇ ପାରିବେ ନାହିଁ। ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନଙ୍କ ପାଇଁ ନାଜାଲ ଟିକାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କୋ ୱିନ ଆପ୍ରେ ୪ର୍ଥ ଡୋଜ୍ ପାଇଁ ମଧ୍ୟ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ନାହିଁ।”
ସେ ଆହୁରି କହିଛନ୍ତି, “ଥରେ ଭାବନ୍ତୁ ଯେ କରୋନା ବିରୋଧରେ ଆପଣ ୪ର୍ଥ ଡୋଜ୍ ନେବେ। ହେଲେ ଏହି ବାରମ୍ବାର ଟିକାକରଣ ପାଇଁ ଗୋଟିଏ ଶବ୍ଦ ରହିଛି, ତାହା ହେଲା ଆଣ୍ଟିଜେନ ସିଙ୍କ। ଯଦି ଜଣେ ବ୍ୟକ୍ତି ନିୟମିତ ଭାବେ ରୋକ ପ୍ରତିରୋଧକ ଶକ୍ତି ବୃଦ୍ଧି ଆଶାରେ ନିର୍ଦ୍ଦିଷ୍ଟ ପ୍ରକାରର ଆଣ୍ଟିଜେନ ନେବେ, ତା’ହେଲେ ଏହାକୁ କୁପ୍ରଭାବ ଦେଖାଯିବ। ଏହାକୁ ଶରୀର ଗ୍ରହଣ କରିବ ନାହିଁ କିମ୍ବା ଅତ୍ୟନ୍ତ ଦୁର୍ବଳ ଭାବେ ଗ୍ରହଣ କରିବ। ଖାସ ଏହି କାରଣ ପାଇଁ ପ୍ରାଥମିକ ଅବସ୍ଥାରେ ଏମଆରଏନଏ ଟିକାକୁ ୬ ମାସ ବ୍ୟବଧାନରେ ନେବାକୁ କୁହାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ୩ ମାସକୁ କମାଇ ଦିଆଯାଇଥିଲା। କିନ୍ତୁ ଏହାର ଫାଇଦା ସେତେ ମିଳି ନଥିଲା। ତେଣୁ କରୋନା ବିରୋଧରେ ଟିକାର ୪ର୍ଥ ଡୋଜ୍ ନେବାର କୌଣସି ମୂଲ୍ୟ ନାହିଁ। ବୁଷ୍ଟର ଡୋଜ୍ ପରେ ପୁଣି ଟିକା ନେବାକୁ ପଡ଼ିବ ବୋଲି ଏଯାଏ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ମିଳିନି।”
୧୮ ବର୍ଷରୁ ଅଧିକ ବୟସ୍କମାନେ ନାଜାଲ ଟିକା ନେଇପାରିବେ। ଏହା ଅତ୍ୟନ୍ତ ସହଜ। ୨ଟି ଯାକ ନାକ ପୁଡ଼ାରେ ୪ ଡ୍ରପ୍ ଲେଖାଏ ମୋଟ ୦.୫ ଏମଏଲର ଟିକା ନେବାକୁ ହେବ। ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ନାକରେ କିଛି ସମୟ ପାଇଁ ବ୍ଲକେଜ ଆସିପାରେ। କିନ୍ତୁ ଏହା ଅତ୍ୟନ୍ତ ସୁରକ୍ଷିତ ଟିକା ବୋଲି ପରୀକ୍ଷାରୁ ଜଣାପଡ଼ିଛି। ନର୍ଥ ଆମେରିକା ଓ ୟୁରୋପରେ ଲୋକମାନେ ୫ଟି ଡୋଜ୍ ନେଇଥିଲେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆଗକୁ ଆଉ ବୁଷ୍ଟର ଡୋଜ ନେବାକୁ ପଡ଼ିବ କି ନାହିଁ, ତା’ର ନିଷ୍ପତ୍ତି ହୋଇ ନଥିବା ଡାକ୍ତର ଅରୋରା କହିଛନ୍ତି।
The post ବୁଷ୍ଟର ଡୋଜ୍ ପରେ ନେଇ ହେବ କି ନାଜାଲ ଟିକା? appeared first on Odisha Reporter.
from Odisha Reporter https://ift.tt/R5lsM8q
No comments:
Post a Comment