କାବୁଲ: ଆଫଗାନିସ୍ତାନରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଉଠିଲା ସ୍ୱର। ମହିଳାଙ୍କ ବିରୋଧରେ ଅତ୍ୟାଚାର ଏବଂ ସେମାନଙ୍କ ଅଧିକାରକୁ ବଞ୍ଚିତ କରି ଆସୁଥିବା ମୌଳବାଦୀ ତାଲିବାନ ଶାସକଙ୍କ ବିରୋଧରେ ଆରମ୍ଭ ହୋଇଛି ବିଦ୍ରୋହ। ମୁଖ୍ୟତଃ ମହିଳାଙ୍କୁ ପାଠପଢ଼ାରେ ବାରଣ କରାଯିବା ସହ ସେମାନଙ୍କର ବହୁ ଅଧିକାର ଉପରେ ନିଷ୍ଟୁର ତାଲିବାନ ସରକାର ରୋକ ଲଗାଇଛନ୍ତି। ଏକ ବିଶ୍ୱବିଦ୍ୟାଳୟରେ ଏହାର ଏକ ପ୍ରତିବାଦ ଦେଖିବାକୁ ମିଳିଛି। ମୁଖ୍ୟତଃ ତାଲିବାନ ସରକାରଙ୍କ ପକ୍ଷରୁ ଆଫଗାନିସ୍ତାନର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ପାଠପଢ଼ା ପାଇଁ ବାରଣ କରାଯାଇଛି।
ତାଲିବାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଆଫଗାନ ଛାତ୍ରମାନେ ତୀବ୍ର ବିରୋଧ କରିଛନ୍ତି। ସେମାନେ କଟକଣା ଉଠାଇବାକୁ ଦାବି କରି ଶ୍ରେଣୀ ବର୍ଜନ କରିଛନ୍ତି। କଟକଣା ନ ଉଠାଇବା ପର୍ଯ୍ୟନ୍ତ ଶ୍ରେଣୀ ବର୍ଜନ କରିବୁ, ପାଠ ପଢ଼ିବୁ ନାହିଁ ବୋଲି ଛାତ୍ରମାନେ ପ୍ରକାଶ କହିଛନ୍ତି। ଯଦି ଆମ ଭଉଣୀମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ମନା, ତାହେଲେ ଆମେ ସେହି ବିଶ୍ୱବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବୁନାହିଁ ବୋଲି ଆଫଗାନ ଛାତ୍ରମାନେ ପ୍ରକାଶ କରିଛନ୍ତି। ମୌଳବାଦୀ ତାଲିବାନ ଶାସକ ମଧ୍ୟ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ଝିଅମାନଙ୍କ ପାଠପଢ଼ାକୁ ନିଷିଦ୍ଧ କରିଛନ୍ତି। ସେହିଭଳି ଅନେକ ଚାକିରିରେ ସେମାନଙ୍କୁ ବାରଣ କରାଯାଇଛି।
ଏଥିସହିତ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପୋଷାକ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପୁରୁଷ ସଂପର୍କୀୟଙ୍କ ବିନା ମହିଳାମାନଙ୍କ ଯାତ୍ରାକୁ ବି ନିଷିଦ୍ଧ କରାଯାଇଛି। ସେହିଭଳି ପାର୍କ କିମ୍ବା ଜିମ୍ ମଧ୍ୟରେ ମହିଳାମାନଙ୍କ ପ୍ରବେଶ ବାରଣ ହୋଇଛି। ଏଭଳି କଳଙ୍କିତ ନୀତି ବିରୋଧରେ ଅଧିକାର ପାଇଁ ମହିଳାମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଏବଂ ତାଲିବାନ ବିରୋଧରେ ସ୍ବର ଉଠାଇଛନ୍ତି। ଗତବର୍ଷ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ କାବୁଲ ଦଖଲ କରିବା ପରଠୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରିବାରେ ଲାଗିଛି। ଏହି କ୍ରମରେ ତାଲିବାନ ଶାସକ ଝିଅଙ୍କ ଉଚ୍ଚଶିକ୍ଷା ନିଷିଦ୍ଧ କରିଛି। ରକ୍ଷଣଶୀଳ ନାମରେ ମହିଳାଙ୍କ ଅଧିକାରକୁ ସଙ୍କୁଚିତ କରିଆସୁଥିବା ତାଲିବାନ ଶାସକଙ୍କ ବିରୋଧରେ ସ୍ୱର ଉଠିଛି।
The post ମହିଳାଙ୍କ ପ୍ରତି ଅନ୍ୟାୟ କରୁଥିବା ତାଲିବାନ ଶାସକଙ୍କ ବିରୋଧରେ ଉଠିଲା ସ୍ୱର appeared first on Odisha Reporter.
from Odisha Reporter https://ift.tt/q0TxYBd
No comments:
Post a Comment