ଲୁହରେ ଭିଜିଥିଲା ରାଜଧାନୀ ଭୁବନେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 27, 2022

ଲୁହରେ ଭିଜିଥିଲା ରାଜଧାନୀ ଭୁବନେଶ୍ୱର

କିଏ ପ୍ରେମରେ ପ୍ରତାରିତ ହୋଇ ଆତ୍ମହତ୍ୟା କରିଥିଲେ ତ ଆଉ କିଏ ପ୍ରେମିକ ହାତରେ ମରିଥିଲେ। କିଏ ପ୍ରେମିକର କଟୁକଥା ସହି ନପାରି ଜୀବନ ହାରିଥିଲେ ତ ଆଉ କିଏ ପ୍ରେମିକାର ମୃତ୍ୟୁରେ ମ୍ରିୟମାଣ ହୋଇ ମୃତ୍ୟକୁ କୋଳାଇ ନେଇଥିଲେ। କିଏ ଅନ୍ୟର ଟାହିଟାପରା ସହି ନପାରି ଜୀବନ ହାରିଥିଲେ ତ ଆଉ କିଏ ଅଜଣା କାରଣ ପାଇଁ ମୃତ୍ୟୁର ରାସ୍ତାକୁ ବାଛି ନେଇଥିଲେ, ଯାହା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ୨୦୨୨ରେ ଏମିତି ଅନେକ ମୃତ୍ୟୁ ଦେଖିଥିବା ରାଜଧାନୀ ଭୁବନେଶ୍ୱର ଉଭୟ ଲୁହ ଓ ଲହୁରେ ଭିଜିଥିଲା।

ଏକ ପ୍ରିଣ୍ଟିଂ କମ୍ପାନୀର ମାଲିକାଣୀ ଥିଲେ ସୁଜାତା ରଥ। ଜୀବନଶୈଳୀ ଥିଲା ପୂରା ଚାକଚକ୍ୟ। ପାହାଳ ଥାନା ଅଞ୍ଚଳର ଥିବା ଏକ ଆପାର୍ଟମେଣ୍ଟରେ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିଲେ ସେ। ସେହି ଆପାର୍ଟମେଣ୍ଟର ଅନ୍ୟ ଏକ ଫ୍ଲୋରରେ ରହୁଥିଲେ ତାଙ୍କ ବାପା-ମାଆ। ତେବେ ହଠାତ୍‌ ଦିନେ ପୁରୁଷବନ୍ଧୁଙ୍କ ଅନୁପସ୍ଥିତିରେ ଘରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍‌ରୁ ଝୁଲି ପଡ଼ିଥିଲେ ସୁଜାତା। ପରିବାର ଲୋକଙ୍କଠାରୁ ଖବର ପାଇ କମିଶନରେଟ୍‌ ପୁଲିସ ମୃତଦେହ ଜବତ କରିଥିଲା। ପ୍ରେମରେ ହତାଶ ହୋଇ ସେ ଜୀବନ ହାରିଥିବା କଥା ଉଠିଥିଲା।

ଶ୍ୱେତା ଉତ୍କଳ କୁମାରୀ

ଜୀବନର ଅନେକ ସ୍ୱପ୍ନ ନେଇ ରାଜଧାନୀ ଚାଲି ଆସିଥିଲେ ଭଦ୍ରକ ଜିଲ୍ଲାର ଶ୍ୱେତା ଉତ୍କଳ କୁମାରୀ। ସେ ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ପେସାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି ମଧ୍ୟ କରୁଥିଲେ। ପ୍ରେମରେ ପ୍ରତାରଣାର ଶିକାର ହୋଇ ସେ ବେକରେ ଓଢ଼ଣୀ ବାନ୍ଧି ନିଜ ଘରେ ଆତ୍ମହତ୍ୟା କରିଥିଲେ। ଶ୍ୱେତା ଫୋନ୍ ନଉଠାଇବାରୁ ବିବ୍ରତ ହୋଇ ଭୁବନେଶ୍ୱର ଆସିଥିଲେ ପରିବାର ଲୋକେ। ଶ୍ୱେତାଙ୍କ ଘର କବାଟ ବନ୍ଦ ଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ ସେମାନେ। ପୁଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍‌ ଶ୍ୱେତାଙ୍କ ମୋବାଇଲ୍ ଫୋନ୍ ଓ ଡାଏରୀ ଜବତ କରିଥିଲେ। ପ୍ରେମିକ ସୌମ୍ୟଜିତଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଶ୍ୱେତା ତାଙ୍କ ଡାଏରୀରେ ଲେଖିଥିଲେ।

ଆତ୍ମହତ୍ୟା କରିଥିବା ଆଶ୍ରିତା ଓ ତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ

ଉଚ୍ଚଶିକ୍ଷା ପାଇଁ ଭଦ୍ରକର ଝିଅ ଆଶ୍ରିତା ସେନାପତି ଭୁବନେଶ୍ୱରରେ ଆସିଥିଲେ। ଏଠାରେ ଏକ ପ୍ରତିଷ୍ଠିତ କଲେଜରେ ଏମ୍‌ସିଏ କରୁଥିଲେ। ଜୟଦେବ ବିହାର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ପ୍ରେମର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଲେଖିଥିଲେ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ଆତ୍ମହତ୍ୟା ପାଇଁ ନିଜ ପ୍ରେମିକ ସତ୍ୟପ୍ରକାଶ ଦାଶଙ୍କୁ ଦାୟୀ କରିଥିଲେ ସେ। ପୁଲିସ ମାମଲା ରୁଜୁ କରି ସତ୍ୟପ୍ରକାଶଙ୍କୁ ଗିରଫ କରିଥିଲା।

ରୁଚିକା

ଆଇଏଏସ୍‌ ହେବାର ସ୍ୱପ୍ନ ନେଇ କଟକର ଝିଅ ରୁଚିକା ମହାନ୍ତି ଭୁବନେଶ୍ୱର ଆସିଥିଲେ। ସେ ବିଜେବି ମହାବିଦ୍ୟାଳୟରେ ଯୁକ୍ତ ୩ରେ ପଢ଼ୁଥିଲେ। ଇତିହାସ ଅନର୍ସ ନେଇ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଲାଇ ଥିଲେ। ହେଲେ ସିନିୟରଙ୍କ ଟାହିଟାପରା ସହି ନପାରି ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଲେଖିଯାଇଥିଲେ ସୁଇସାଇଡ୍‌ ନୋଟ୍‌।

ଗାର୍ଲଫ୍ରେଣ୍ଡଙ୍କ ସହ ସୌମ୍ୟ ।

ଚଳିତ ବର୍ଷ ରାଜ୍ୟରେ ଚାଞ୍ଚଲ୍ୟ ପକାଇ ଦେଇଥିଲା ଯୁବ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ। ନନ୍ଦନ ବିହାର ପ୍ଲଟ୍‌ ନମ୍ୱର LIG 100ରେ ସେ ଝୁଲି ପଡ଼ିଥିଲେ। ସୌମ୍ୟଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ତାଙ୍କ ପ୍ରେମିକା ତଥା ଗାୟିକା ସୋନାଲି ନନ୍ଦ। ଏହା ପରେ ତାଙ୍କ ପ୍ରେମିକାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସୋଶାଲ ମିଡ଼ିଆ ଘୂରି ବୁଲୁଥିଲା। ହେଲେ ପୁଲିସ ତାଙ୍କୁ ଜେରା କରିନଥିଲା। ଯାହାକୁ ନେଇ ତମ୍ୱିତୋଫାନ୍‌ ମଧ୍ୟ ହୋଇଥିଲା। ସୋନାଲିଙ୍କୁ ଗିରଫ କରିବା ଦାବିରେ ସୌମ୍ୟଙ୍କ ପରିବାର ଲୋକେ ପୁଲିସ୍‌ କମିଶନରଙ୍କ ଅଫିସ୍‌ ଆଗରେ ଧାରଣାରେ ମଧ୍ୟ ବସିଥିଲେ।

ରଶ୍ମୀରେଖା ଓ ତାଙ୍କ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ।

ସ୍ୱପ୍ନ ପୂରଣ ପାଇଁ ରାଜଧାନୀ ଆସିଥିଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଝିଅ ରଶ୍ମିରେଖା ଓଝା। ଟେଲିଭିନ୍‌ ସିରିଏଲରେ ଅଭିନୟ କରୁଥିଲେ। ନିଜର ଅଭିନୟକୁ ନେଇ ସେ ବେଶ୍‌ ଚର୍ଚ୍ଚାରେ ଥିଲେ। ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ପ୍ରେମିକ ସନ୍ତୋଷ ପାତ୍ରଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିଲେ। ଉଭୟଙ୍କ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ରଶ୍ମୀରେଖା ଓ ସନ୍ତୋଷଙ୍କ ପ୍ରେମ ସମ୍ପର୍କରେ ଏଣ୍ଟ୍ରି ମାରିଥିଲେ ରାଜା। ରାଜା ହେଉଛନ୍ତି ରଶ୍ମୀରେଖାଙ୍କ ପ୍ରଥମ ପ୍ରେମିକ। ଏହାକୁ ବରଦାସ୍ତ କରିପାରିଲେ ନାହିଁ ସନ୍ତୋଷ। ଯାହାକୁ ନେଇ ଉଭୟଙ୍କ ମଧ୍ୟ କଥା କଟାକଟି ହୋଇଥିଲା। ତା’ପରେ ରଶ୍ମୀରେଖା ଆତ୍ମହତ୍ୟା କରିଥିଲେ। ରଶ୍ମୀରେଖାଙ୍କ ଆତ୍ମହତ୍ୟାର କିଛି ଦିନ ପରେ ସନ୍ତୋଷ ମଧ୍ୟ ଆତ୍ମହତ୍ୟା କରିଥିଲେ।

ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇଙ୍କୁ ହତ୍ୟା କରାଯାଇଥିଲା। ଏକ ତରଫା ପ୍ରେମରୁ ସୁରେଖାଙ୍କୁ ବିଶ୍ୱଜିତ ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ବିଶ୍ୱଜିତ ଓ ତା’ର ଦୁଇ ସହଯୋଗୀଙ୍କୁ ନୟାଗଡ଼ ଅଞ୍ଚଳରୁ ଗିରଫ କରିଥିଲା।

ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ପରିବାର ଲୋକଙ୍କ ସହ ରହୁଥିଲେ ଆର୍‌.ଏନ୍‌. ନିୟତି ନାୟକ। ସେ ସମ୍ବଲପୁରର ବୁର୍ଲାରେ ବିଟେକ୍‌ ପଢ଼ୁଥିଲେ। କଲେଜ ଛୁଟି ଥିବାରୁ ଘରକୁ ଆସି ଥିଲେ। ତାଙ୍କ ବାପା ସେକ୍‌ସନ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ଜଣେ ଡାକ୍ତର। ଘରେ ବାପା ଓ ମାଆ ନଥିବା ବେଳେ ଝୁଲି ପଡ଼ିଥିଲେ ନିୟତି। କିନ୍ତୁ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ହଷ୍ଟେଲରେ ବେକରେ ଗାମୁଛା ଗୋଡ଼ାଇ ଝୁଲି ପଡ଼ିଥିଲେ। ସୂର୍ଯ୍ୟ ଝୁଲୁଥିବା ଦେଖି ସାଥୀମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ହଷ୍ଟେଲ ୱାର୍ଡେନ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ପରେ କଲେଜ କର୍ତ୍ତୃପକ୍ଷ କମିଶନରେଟ୍‌ ପୁଲିସକୁ ଖବର ଦେବା ସହ ସୂର୍ଯ୍ୟ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଜ୍ୟୋତି ରଂଜନ ସାହୁ ଖୋର୍ଦ୍ଧାର ମଳିପଡ଼ା କଲେଜରେ ଯୁକ୍ତ ୩ରେ ପାଠ ପଢ଼ୁଥିଲେ। କିନ୍ତୁ ସେ ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିଲେ। ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ତାଙ୍କ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ହୋଇଛି। କାରଣ ତାଙ୍କ ହାତ ବନ୍ଧା ହୋଇଥିବା ବେଳେ ମୁହଁରେ କପଡ଼ା ବନ୍ଧା ହୋଇଥିଲା।

ରଞ୍ଜିତା ସାହୁ

କଟକ ଗୁରୁଡ଼ିଝାଟିଆ ଅଞ୍ଚଳ ରଞ୍ଜିତା ସାହୁ ନୂଆପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ସେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ। ଜଣେ ଯୁବକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ରଞ୍ଜିତା ନିଜ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

The post ଲୁହରେ ଭିଜିଥିଲା ରାଜଧାନୀ ଭୁବନେଶ୍ୱର appeared first on Odisha Reporter.



from Odisha Reporter https://ift.tt/7KmotGr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages