ନୂଆଦିଲ୍ଲୀ: ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ପୁଣିଥରେ ତୀବ୍ର ହୋଇଛି। ଗୁରୁବାର ସଂସଦରେ କେନ୍ଦ୍ର ଆଇନମନ୍ତ୍ରୀ କରିଣ ରିଜିଜୁ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସୁପ୍ରିମକୋର୍ଟ କଲେଜିୟମକୁ ଟାର୍ଗେଟ କରିଛନ୍ତି। ଏଥିସହ ନୂଆ ବ୍ୟବସ୍ଥା ନ ଆସିବା ଯାଏ ବିଚାରପତି ପଦ ସେମିତି ଖାଲି ପଡ଼ି ରହୁଥିବ ବୋଲି କହିଛନ୍ତି।
ବିଚାର ପାଇଁ ପଡ଼ି ରହିଥିବା କୋଟିକୋଟି ମାମଲା ସମ୍ପର୍କିତ ଗୋଟିଏ ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ଆଇନ ମନ୍ତ୍ରୀ ରିଜିଜୁ ଦେଇଛନ୍ତି। ସେ କହିଛନ୍ତି, ଦେଶରେ କୋଟି କୋଟି ମାମଲା ପଡ଼ି ରହିଛି। ହେଲେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସରକାରଙ୍କ ବହୁତ ସୀମତି ଭୂମିକା ରହିଛି। ବିଚାରପତି ନିଯୁକ୍ତି କାମ କଲେଜିୟମ ବ୍ୟବସ୍ଥା ଦ୍ୱାରା କରାଯାଉଛି ବୋଲି ସେ କହିଛନ୍ତି। ସେ ଏପରି ମତ ରଖିବା ବେଳେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ସମୟରେ କରିଣ ରିଜିଜୁ କହିଛନ୍ତି, “ସମଗ୍ର ଦେଶରେ ୫ କୋଟିରୁ ଅଧିକ ମାମଲା ବିଚାର ପାଇଁ ପଡ଼ି ରହିବା ଅତ୍ୟନ୍ତ ଚିନ୍ତାର ବିଷୟ। ବିଚାରପତି ପଦ ଖାଲି ରହିଥିବାରୁ ଏତେ ସଂଖ୍ୟକ ମାମଲା ପଡ଼ି ରହିଛି। ଆମେ ସଂସଦର ମୂଳଭାବନା ଓ ଲୋକଙ୍କ ଭାବନ ଅନୁଯାୟୀ ଆଦୌ କାମ କରୁନାହୁଁ।
ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ଦିଗରେ ସରକାରଙ୍କ ଭୂମିକା ବହୁତ ସୀମତି। ପଡ଼ି ରହିଥିବା ମାମଲାକୁ ହ୍ରାସ କରିବା ପାଇଁ ଆମେ ସବୁ ପ୍ରକାରର ସମର୍ଥନ ଦେଉଛୁ। କିନ୍ତୁ ସବୁବେଳେ ବିଚାରପତି ପଦ ଖାଲି ଘଟଣା ସାମ୍ନାକୁ ଆସୁଛି। ନିଯୁକ୍ତି ପାଇଁ ନୂଆ ବ୍ୟବସ୍ଥା ନ ଆସିବା ଯାଏ ବିଚାରପତି ପଦବୀ ଏମିତି ଖାଲି ପଡ଼ୁଥିବ। କଲେଜିୟମଙ୍କ ସୁପାରିସ ବିନା ସରକାର କାହାର ନାଁ ବିଚାରପତି ପଦବୀ ପାଇଁ ଘୋଷଣା କରିପାରିବେ ନାହିଁ।”
କ’ଣ ପୁଣିଥରେ ସରକାର ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ(ଏନଜେଏସି) ଆଇନକୁ ଲାଗୁ କରିବାକୁ ଚିନ୍ତା କରିବେ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ରିଜିଜୁ ଦେଇଛନ୍ତି। ସେ କହିଛନ୍ତି, ଅନେକ ଅବସରପ୍ରାପ୍ତ ବିଚାରପତି, ପ୍ରଖ୍ୟାତ ଜୁରିଷ୍ଟସ, ଆଇନଜୀବୀ ଓ ରାଜନୀତିକ ଦଳର ନେତାମାନେ ଏନଜେଏସି ସପକ୍ଷରେ ରହିଛନ୍ତି। ଏହି ଆଇନକୁ ୨୦୧୪ରେ ଲାଗୁ କରାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ।
ଆଇନକୁ ରଦ୍ଦ କରିବା ଆଦୌ ଠିକ ନଥିଲା ବୋଲି ସମସ୍ତେ କହୁଛନ୍ତି। ମୁଁ ଏହି ବିଷୟରେ ଅଧିକ କିଛି କହିବାକୁ ଚାହୁନାହିଁ। କାରଣ ଏହା ସରକାରଙ୍କର ନ୍ୟାୟପାଳିକାରେ ହସ୍ତକ୍ଷେପ କରିବା ସଦୃଶ ହେବ। ସରକାରଙ୍କର ବିଚାରପତି ନିଯୁକ୍ତି କରିବାର ଅଧିକାର ଅଛି ବୋଲି ସମ୍ବିଧାନ କହୁଛି। ହେଲେ ୧୯୯୩ ପରେ ଏଥିରେ ପରିବର୍ତ୍ତନ ହୋଇଛି। ତେଣୁ ସରକାରଙ୍କୁ ଏ ଅଧିକାରୁ ବଞ୍ଚିତ ହେବାକୁ ପଡ଼ିଛି। ଲୋକମାନେ ଯାହା ଚାହୁଛନ୍ତି, କଲେଜିୟମ ପ୍ରକୃତରେ ସେହି ଅନୁଯାୟୀ କାମ କରୁନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଦେଶରେ ଥିବା ବିବିଧାକୁ ବିଚାରକୁ ନେଇ ବିଚାରପତି ନିଯୁକ୍ତି କରିବାକୁ ସରକାର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଚୟନ ପ୍ରକ୍ରିୟା ବେଳେ ମହିଳା ବିଚାରପତିଙ୍କ ନାଁ ମଧ୍ୟ ବିଚାରକୁ ନେବାକୁ ସରକାର ନିବେଦନ କରିଥିବା ଶ୍ରୀ ରିଜିଜୁ ଗୃହରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।
The post ବିଚାରପତି ପଦ ଖାଲି ପଡ଼ିବା ପ୍ରସଙ୍ଗ: ପୁଣି କଲେଜିୟମକୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/mpL2Y5f
No comments:
Post a Comment