ଭାଙ୍ଗିବ କି ୬୦ ବର୍ଷର ରେକର୍ଡ? ମରକ୍କୋକୁ ହରାଇ ବିଶ୍ୱକପ ଫାଇନାଲରେ ଫ୍ରାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 14, 2022

ଭାଙ୍ଗିବ କି ୬୦ ବର୍ଷର ରେକର୍ଡ? ମରକ୍କୋକୁ ହରାଇ ବିଶ୍ୱକପ ଫାଇନାଲରେ ଫ୍ରାନ୍ସ

ଦୋହା: ପୁଣିଥରେ ଫିଫା ଫୁଟବଲ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ୟୁରୋପୀୟ ଫୁଟବଲର ପାୱାର ହାଉସ ଫ୍ରାନ୍ସ। ୨୦୧୮ ବିଶ୍ୱକପ ବିଜେତା ଫ୍ରାନ୍ସ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ବିଶ୍ୱକପ ସେମି ଫାଇନାଲରେ ପ୍ରବେଶ କରିଥିବା ମରକ୍କୋକୁ ୨-୦ରେ ହରାଇ ଦେଇଛି। ଏଥିସହ ଦ୍ୱିତୀୟ ଦଳ ଭାବେ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି।

ରବିବାର କତାରର ଐତିହାସିକ ଲୁସାଇଲ୍‌ ଷ୍ଟାଡିୟମ୍‌ରେ ଫ୍ରାନ୍ସର ମୁକାବିଲା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ସହ ହେବ। ଫ୍ରାନ୍ସ କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ପ୍ରବେଶ କରିବା ସହ ୧୯୬୨ର ରେକର୍ଡ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚି ଯାଇଛି। ବ୍ରାଜିଲ ଏକମାତ୍ର ଦେଶ ଯିଏ କ୍ରମାଗତ ଦୁଇ ଥର ବିଶ୍ୱକପ ଜିତିବାର ରେକର୍ଡ ନିଜ ନାଁରେ ରଖିବାକୁ ଏଯାଏ ସକ୍ଷମ ହୋଇଛି। ୧୯୬୨ ପରେ କିନ୍ତୁ ଏପରି ଘଟଣା ଆଉ ଘଟିନାହିଁ।

ଏବେ ଫ୍ରାନ୍ସ ପାଖରେ ଉକ୍ତ ରେକର୍ଡ ଭାଙ୍ଗିବାର ସୁଯୋଗ ସୃଷ୍ଟି ହୋଇଛି। ଯଦି ଫ୍ରାନ୍ସ ବିଶ୍ୱକପ ଟ୍ରଫି ଜିତିଲା, ତା’ହେଲେ ୬୦ ବର୍ଷର ରେକର୍ଡ ଭାଙ୍ଗିବ। ସେହିପରି ଦଳ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ରେକର୍ଡ କରିବ। ଏଯାଏ ଫ୍ରାନ୍ସ ଦୁଇ ଥର (୧୯୯୮ ଓ ୨୦୧୮) ବିଶ୍ୱକପ ଜିତିବାକୁ ସକ୍ଷମ ହୋଇଛି।

ଫ୍ରାନ୍ସ ଚତୁର୍ଥଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ସେହିପରି ଦଳ ୭ମ ଥର ପାଇଁ ବୁଧବାର ସେମି ଫାଇନାଲ ଖେଳିଥିଲା। ‍ଫ୍ରାନ୍ସ ୧୯୫୮ରେ ବ୍ରାଜିଲ ଠାରୁ, ୧୯୮୨ ଓ ୧୯୮୬ରେ ପଶ୍ଚିମ ଜର୍ମାନୀ ଠାରୁ ହାରି ସେମିରୁ ବିଦା ହୋଇଥିଲା। କିନ୍ତୁ ୧୯୯୮ରେ କ୍ରୋଏସିଆ, ୨୦୦୬ରେ ପର୍ତ୍ତୁଗାଲ, ୨୦୧୮ରେ ବେଲଜିୟମ ଓ ୨୦୨୨ରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି।

ବୁଧବାର ସେମିରେ ମରକ୍କୋ ହାରିବା ସହ ଦଳର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି। ପ୍ରଥମ ଆଫ୍ରିକୀୟ ଦେଶ ଭାବେ ମରକ୍କୋ ସେମିରେ ପହଞ୍ଚି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଥିଲା। କନ୍ତୁ ଫ୍ରାନ୍ସ ସବୁ କିଛି ଓଲଟ ପାଲଟ କରି ଦେଇଛି। ଦଳ ସେମିରେ ହାରିଥିବା ବେଳେ ଶନିବାର କ୍ରୋଏସିଆ ବିପକ୍ଷରେ ତୃତୀୟ ସ୍ଥାନ ପାଇଁ ଲଢ଼େଇ କରିବ।

ବୁଧବାର ସେମି ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ ମ୍ୟାଚ୍‌ର ୫ମ ମିନିଟ୍‌ରେ ହିଁ ଫ୍ରାନ୍ସ ଅଗ୍ରଣୀ ଲାଭ କରିଥିଲା। ଦଳର ଷ୍ଟାର ଖେଳାଳି ଏମବାପେ ମରକ୍କୋ ଡି’ ଭିତରେ ପ୍ରବେଶ କରିଥିଲେ ହେଁ ଶଟ୍‌ ମାରିବାକୁ ସକ୍ଷମ ହୋଇ ନଥିଲେ। କିନ୍ତୁ ତାଙ୍କ ପାସ୍‌କୁ ଚମତ୍କାର ଢଙ୍ଗରେ ଥେଓ ହେର୍ନାଣ୍ଡେଜ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ।

ଏଥିସହ ବିଶ୍ୱକପରେ ମରକ୍କୋ ପ୍ରଥମଥର ପାଇଁ ଗୋଲ୍‌ ଖାଇ କୌଣସି ମ୍ୟାଚ୍‌ରେ ପଛୁଆ ହୋଇ ଯାଇଥିଲା। ଦଳ ଗ୍ରୁପ ପର୍ଯ୍ୟାୟରେ ଏକମାତ୍ର ଦେଶ କାନାଡା ବିପକ୍ଷରେ ଗୋଲ ଖାଇଥିଲେ ମଧ୍ୟ ଏହା ଏକ ଆତ୍ମଘାତୀ ଗୋଲ ବା ନିଜ ଖେଳାଳିଙ୍କ ଗୋଡ଼ ବାଜି ବଲ ଗୋଲ ପୋଷ୍ଟକୁ ଯାଇଥିଲା। ଏହା ବ୍ୟତୀତ ମରକ୍କୋ ଗ୍ରୁପ୍‌ ଠାରୁ ଆରମ୍ଭ କରି ସେମି ଯାଏ କୌଣସି ପ୍ରତିପକ୍ଷ ଦଳ ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ।

ଫ୍ରାନ୍ସ ୧-୦ରେ ଆଗୁଆ ହେବା ପରେ ମରକ୍କୋ କାଉଣ୍ଟର ଆଟାକ କରିଥିଲା। ହେଲେ ଫ୍ରାନ୍ସର ରକ୍ଷଣ ବିଭାଗ ଓ ଗୋଲକିପର ଲୋରିସ ସବୁକିଛି ଭଣ୍ଡୁର କରି ଦେଇଥିଲେ। ପ୍ରଥମ ହାଫ ସୁଦ୍ଧା ଫ୍ରାନ୍ସ ୧-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟ ହାଫରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତେବେ ୭୯ ମିନିଟ୍‌ରେ ପୁଣି ଏମ୍‌ବାପେଙ୍କ ଗୋଟିଏ ପାସ୍‌କୁ କୋଲୋ ମୁଆନି ଗୋଲ୍‌ରେ ପରିଣତ କରିଥିଲେ। ଫଳରେ ସ୍କୋର ୨-୦ ହୋଇଯାଇଥିଲା। ହାତରେ ମାତ୍ର ୧୧ ମିନିଟ ସମୟ ଥିବାରୁ ମରକ୍କୋ ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଫ୍ରାନ୍ସ ସବୁ କିଛିକୁ ଅଟକାଇ ଦେଇଥିଲା। ଏଥିସହ ୪ର୍ଥ ଥର ପାଇଁ ଦଳ ଫାଇନାଲ ଟିକେଟ ହାତେଇବାକୁ ସକ୍ଷମ ହୋଇଛି।

The post ଭାଙ୍ଗିବ କି ୬୦ ବର୍ଷର ରେକର୍ଡ? ମରକ୍କୋକୁ ହରାଇ ବିଶ୍ୱକପ ଫାଇନାଲରେ ଫ୍ରାନ୍ସ appeared first on Odisha Reporter.



from Odisha Reporter https://ift.tt/gRtuXyq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages