ମୁମ୍ବାଇ: ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଛକାପଞ୍ଝାରେ ଲାଗିଛି ବିରାମ। ଶେଷରେ ୧୯୯୨ ମସିହା ବମ୍ବେ ଦଙ୍ଗା ଘଟଣାର ଜଣେ ଅଭିଯୁକ୍ତକୁ ଧରିଛି ଦିନଦୋଶୀ ପୁଲିସ୍। ୪୭ ବର୍ଷୀୟ ତାବ୍ରେଜ ଖାନ ଓରଫ ମନସୁରୀ ନିଜର ପରିଚୟ ବଦଳାଇ ରହୁଥିବା ବେଳେ ପୁଲିସ୍ ତାକୁ ଗିରଫ କରିବାକୁ ସକ୍ଷମ ହୋଇଛି।
୧୯୯୨ ବମ୍ବେ ଦଙ୍ଗା ଘଟଣାରେ ଏକଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ। ମାଲଦା ଇଷ୍ଟରେ ହୋଇଥିବା ଦଙ୍ଗା ଘଟଣାରେ ମନସୁରୀ ଓ ଆଉ ୮ ଜଣ ସାମିଲ ଥିବା ପୁଲିସ୍ କହିବା ସହ ମାମଲା ରୁଜୁ କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରି ଗୋଟିଏ ନିମ୍ନ ଅଦାଲତଙ୍କ ଆଗରେ ୯ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା।
କୋର୍ଟ ମାମଲାର ଶୁଣାଣି କରି ୨ ଜଣଙ୍କୁ ଦୋଷମୁକ୍ତ କରିଥିବା ବେଳେ ବିଚାର ବେଳେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଅଭିଯୁକ୍ତ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇ ନଥିଲେ। ୨୦୦୪ରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ପଳତାକ ଘୋଷଣା କରିଥିଲେ। ପଳାତକ ଘୋଷଣା ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରେ ମନସୁରୀ ରହିଥିଲା।
୧୮ ବର୍ଷ ହେଲା ପୁଲିସ୍ ତା’କୁ ଖୋଜୁଥିଲେ ମଧ୍ୟ ସେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଫେରାର ରହିଥିଲା। କିନ୍ତୁ କିଛି ଦିନ ତଳେ ଦିନଦୋଶୀ ପୁଲିସ୍ ଷ୍ଟେସନକୁ ମନସୁରୀ ସମ୍ପର୍କରେ ଖବର ମିଳିଥିଲା। ମନସୁରୀ ନିଜ ପରିଚୟ ବଦଳାଇ ଦୀର୍ଘ ୧୮ ବର୍ଷ ହେଲା ଜଣେ ରିୟଲ ଇଷ୍ଟେଟ ଏଜେଣ୍ଟ ଭାବେ କାମ କରୁଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏହାପରେ ତାକୁ ମାଲଦା ଇଷ୍ଟରୁ ଗୋଟିଏ ସ୍ୱତନ୍ତ୍ର ଟିମ ଗିରଫ କରିଛି।
The post ୧୮ ବର୍ଷ ହେଲା ଫେରାର ଥିବା ଦଙ୍ଗା ଅଭିଯୁକ୍ତକୁ ଧରିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/tHPs7B0
No comments:
Post a Comment