କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ। ବଲାଙ୍ଗିର ଭୀମଭୋଇ ମେଡିକାଲରେ ଗୋବିନ୍ଦଙ୍କର ଶବବ୍ୟବଚ୍ଛେଦ ହେବ। ବୁର୍ଲା ମେଡିକାଲ କଲେଜ ଏଫ୍ଏମ୍ଟି ବିଭାଗର ୨ଜଣ ବିଶେଷଜ୍ଞ ଶବ ବ୍ୟବଚ୍ଛେଦ କରିବେ। ଗୋବିନ୍ଦଙ୍କର କିଭଳି ସ୍ଥିତିରେ ମୃତ୍ୟୁ ହୋଇଛି, ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ହେବ। ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ମଧ୍ୟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ଜେଲ୍ ଓ୍ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ଗୋବିନ୍ଦ ସାହୁ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ରହୁଥିଲେ। ଗତକାଲି ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ସେ ଝୁଲି ପଡ଼ିଥିଲେ। ଜେଲ୍ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହାକୁ ତାଙ୍କ ପତ୍ନୀ ଓ ବିରୋଧୀ ଦଳ ଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମମିତା ମେହେର ହତ୍ୟା ମାମଲାରେ ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବାକୁ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥାଇପାରେ। ଏହାର ତଦନ୍ତ ହେବା ଆବଶ୍ୟକ। ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ମାଗିଛନ୍ତି।
The post ଖୋଲିବ କି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ରହସ୍ୟ! ଆଜି ହେବ ଶବ ବ୍ୟବଚ୍ଛେଦ appeared first on Odisha Reporter.
from Odisha Reporter https://ift.tt/FVvQSyX
No comments:
Post a Comment