ସମ୍ବଲପୁର (ଓଡ଼ିଶା ରିପୋର୍ଟର): ପୁଣି ନିରାଶ ହେଲେ ସମ୍ବଳପୁରର ଗିରଫ ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗିରଫ ହୋଇଥିବା ଏହି ଆଇନଜୀବୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ ଦେଇଛନ୍ତି କୋର୍ଟ। ସମ୍ବଲପୁର ଜିଲ୍ଲା ଓ ଦୌରା ଜଜ୍ ଗୁରୁବାର ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପୂର୍ବରୁ ମଧ୍ୟ ଏହି ଗିରଫ ଆଇନଜୀବୀମାନେ ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।
ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତ ୧୨ ତାରିଖରେ ଏହା ତୀବ୍ର ରୂପ ଧାରଣ କରିଥିଲା। ଓକିଲଙ୍କ ସହ ସାଧାରଣ ଲୋକ ସାମିଲ ହୋଇଥିଲେ ଏବଂ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ। ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାସହ ଏହି ଘଟଣାରେ ବିଭିନ୍ନ ପର୍ଯ୍ୟାୟରେ ଏଯାଏ ୨୯ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି। ଏଥିସହ ଜଣେ ଅଣ ଆଇନଜୀବୀ ଓ ୮ଜଣ କିନ୍ନର ଗିରଫ ହୋଇ ଜେଲରେ ଅଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
The post ପୁଣି ନିରାଶ ହେଲେ ଗିରଫ ଆଇନଜୀବୀ, ମିଳିଲାନି ଜାମିନ appeared first on Odisha Reporter.
from Odisha Reporter https://ift.tt/5CuxhV2
No comments:
Post a Comment