ରାଉରକେଲା (ଓଡ଼ିଶା ରିପୋର୍ଟର): ଚଳିତ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍ରେ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲ୍ୟାଣ୍ଡ।
ଚିଲି ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ରେ ଭାଗ ନେଇଛି। ସେଥିପାଇଁ ଆଜିର ମ୍ୟାଚ୍ରେ ପ୍ରଥମରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଏହା ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲା। ତେବେ ଖେଳର ଅନେକ ସମୟରେ ନ୍ୟୁଜିଲ୍ୟାଣ୍ଡ ଗୋଲ୍ କରିବାକୁ ପାଇଥିବା ସୁଯୋଗ ଗୁଡ଼ିକୁ ଚିଲିର ଖେଳାଳିମାନେ ବାଧା ଦେବାରେ ସଫଳ ହୋଇଥିଲେ।
ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଦୁଇଟି ଯାକ ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ। ଏହି କ୍ୱାର୍ଟରରେ ଚିଲି ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ଏହାକୁ ଗୋଲ୍ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍ରେ ପରିଣତ କରିବାକୁ ଦେଇ ନଥିଲା।
୨-୦ରେ ଆଗୁଆ ରହିଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ଖେଳର ୧୯ ମିନିଟ୍ରେ ଏହି ଗୋଲ୍ ହୋଇଥିଲା। ସାମ୍ ହିହା ଏହି ଗୋଲ୍ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍। ଏହି କ୍ୱାର୍ଟରରେ ଚିଲି ଦୁଇଟି ଲଗାତାର ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ରଣନୀତିକୁ ମାତ୍ ଦେଇ ଚିଲି ସେଗୁଡ଼ିକୁ ଗୋଲ୍ରେ ପରିଣତ କରି ପାରି ନଥିଲା। ଦ୍ୱିତୀୟ କ୍ୱାର୍ଟରଟି ୩-୦ରେ ଶେଷ ହୋଇଥିଲା।
ତୃତୀୟ କ୍ୱାର୍ଟରରେ କୌଣସି ଦଳ ଗୋଲ୍ କରିପାରି ନଥିଲେ। ଚତୁର୍ଥ କ୍ୱାର୍ଟରରେ ଚିଲି ହକି ପୁରୁଷ ବିଶ୍ୱକପ୍ରେ ତା’ର ପ୍ରଥମ ଗୋଲ୍ ଦେଇଥିଲା। ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ। ନ୍ୟୁଜିଲ୍ୟାଣ୍ଡ ଗୋଲ୍ କିପର ଲିଅନ ହେୱାର୍ଡ ତାଙ୍କୁ ବାଧା ଦେବାକୁ ପ୍ରୟାସ କରି ଆସିଥିଲେ। ସେ ଗୋଲ୍କୁ ଅଟକାଇବାକୁ ଆଗକୁ ଚାଲି ଆସିଥିଲେ। କିନ୍ତୁ ଗୋଲ ଅଟକାଇବାରେ ବିଫଳ ହୋଇଥିଲେ। ତେବେ କିଛି ସମୟର ତର୍ଜମା ପରେ ଏହା ଗୋଲ୍ ବୋଲି ଘୋଷଣା କରାଯାଇଥିଲା। ବଲ୍ଟି ଷ୍ଟିକ୍ର ପଛରେ ବାଜି ଗୋଲ୍ ପୋଷ୍ଟ ଅତିକ୍ରମ କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ପରେ ଆଉ ଗୋଲ ହୋଇନଥିଲା ଏବଂ ଚିଲି ୩-୧ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଯାଇଥିଲା।
ଆଜି ୪ଟି ଯାକ ଗୋଲ ଫିଲ୍ଡ ଗୋଲ୍ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୩ ଥର ଗ୍ରୀନ୍କାର୍ଡ ପାଇଥିଲା।
The post ହକି ବିଶ୍ୱକପ: ପଦାର୍ପଣ ମ୍ୟାଚ୍ରେ ହାରିଲା ଚିଲି appeared first on Odisha Reporter.
from Odisha Reporter https://ift.tt/2TeGyuo
No comments:
Post a Comment