ପାଠ ପଢ଼ିବାକୁ ଭାରି ମନ। ହେଲେ ସାଥ୍ ଦେଉନଥିଲା ନିଜ ଗୋଡ଼। ତେଣୁ ସ୍କୁଲ ଯାଇପାରୁନଥିଲେ ଜେସିକା ବାଢା। ତାଙ୍କ ମନର ଯନ୍ତ୍ରଣା ବୁଝିଲେ ସାଙ୍ଗ ମାଙ୍ଗରି ବାଢା। ଆଉ କାଳବିଳମ୍ୱ ନକରି ନିଜ ପିଠିରେ ଲାଉ କରି ସାଙ୍ଗଙ୍କୁ ସ୍କୁଲ ନେଇଗଲେ। କଳଙ୍କିତ ବନ୍ଧୁତା ଭିତରେ ଏପରି ଏକ ଭଲ ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।
କୋଇଡା ବ୍ଲକ୍ କୁସୁମୁଣ୍ଡି ଗାଁର ଜେସିକା ବାଢା ଓ ମାଙ୍ଗରି ବାଢା। ଉଭୟଙ୍କ ବୟସ ପାଖାପାଖି ୮ରୁ ୯ ବର୍ଷ ହେବ। ହେଲେ ଦୁର୍ଭାଗ୍ୟକୁ ଜେସିକାଙ୍କ ଗୋଡ଼ ଦୁଇଟି କାମ କରୁନି। ତେଣୁ ସେ ଚାଲି ପାରୁନାହାନ୍ତି। ପାଦ ଚାଲି ପାରୁନଥିବାରୁ ସ୍କୁଲ ଯାଇପାରୁନଥିଲେ କି ପାଠ ପଢ଼ିପାରୁନଥିଲେ। ନିଜର ଅକ୍ଷମତାକୁ ନେଇ ଜେସିକାର ମନରେ ଭାରି ଦୁଃଖ। ହେଲେ ସେହି ଦୁଃଖ କାହାକୁ କହିପାରୁନଥିଲେ। କିନ୍ତୁ ଜେସିକା ମନରେ ଜଳୁଥିବା କୋହକୁ ମର୍ମେ ମର୍ମେ ଅନୁଭବ କରୁଥିଲେ ବାଲ୍ୟ ବନ୍ଧୁ ମାଙ୍ଗରି ବାଢା।
ଦିନ ମାଙ୍ଗରି ମନେ ମନେ ସ୍ଥିର କଲେ ଜେସିକାଙ୍କୁ ନିଜ ସ୍କୁଲ୍କୁ ନେବେ। ଆଉ ପରବର୍ତ୍ତୀ ସମୟରେ ନିଜ ପିଠିରେ ଲାଉ କରି ଜେସିକାଙ୍କୁ ନେଇଗଲେ। ବାସ୍ ଏଇଠୁ ଆରମ୍ଭ ହେଲା ଜେସିକାଙ୍କ ସ୍କୁଲ୍ ଜୀବନ। ପ୍ରତିଦିନ ସ୍କୁଲ୍ ୟୁନିଫର୍ମ ପିନ୍ଧି ବସ୍ତାନୀ ଧରି ଘର ପିଣ୍ଡାରେ ବସି ସାଙ୍ଗକୁ ଅପେକ୍ଷା କରୁଛନ୍ତି ଜେସିକା। ଆଉ ମାଙ୍ଗରି ପହଞ୍ଚିବା ପରେ ତାଙ୍କ ପିଠିରେ ଲାଉ ହୋଇ କୁସୁମୁଣ୍ଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ସାଙ୍ଗ ବୁଝିଛି ବୋଲି ଆଜି ମାଙ୍ଗରି ନିଜ ପିଠିରେ ଜେସିକାକୁ ବୋହି ନେଉଛନ୍ତି। ଉଭୟ ସମୟ ବୟସ୍କ ହେଲେ ମଧ୍ୟ ଜେସିକା ଏବେ ପ୍ରଥମ ଶ୍ରେଣୀରେ ପଢ଼ୁଛି। ଆଉ ତା’ ସାଙ୍ଗ ମାଙ୍ଗରି ପଞ୍ଚମ ଶ୍ରେଣୀରେ ପଢ଼ୁଛି।
ମାଙ୍ଗରି ପିଠିରେ ଲାଉ ହୋଇ ଜେସିକା ଆସୁଥିବା ଦେଖି ଶିକ୍ଷକମାନେ ଆଚମ୍ୱିତ ହେଉଥିଲେ। ତେଣୁ ଜେସିକାକୁ ଗୋଟିଏ ଟ୍ରାଏ ସାଇକେଲ୍ ଦେବାର ବ୍ୟବସ୍ଥା କଲେ। ସରକାରଙ୍କ ତରଫରୁ ଜେସିକାକୁ ଗୋଟିଏ ଟ୍ରାଏ ସାଇକେଲ୍ ମିଳିଲା। ଏବେ ପ୍ରତିଦିନ ଟ୍ରାଏ ସାଇକେଲ୍ରେ ଜେସିକା ବସୁଛନ୍ତି। ଆଉ ତାଙ୍କୁ ଠେଲି ଠେଲି ସ୍କୁଲ ଆଣୁଛନ୍ତି ମାଙ୍ଗରି।
ସ୍କୁଲରେ ପହଞ୍ଚିବା ପରେ ଟ୍ରାଏ ସାଇକେଲକୁ ଓହ୍ଲାଇ ଜେସିକାଙ୍କୁ କାଖେଇ ଶ୍ରେଣୀଗୃହକୁ ନେଉଛନ୍ତି ମାଙ୍ଗରି। ପାଣି ପିଇବା, ଟଏଲେଟ୍ ଓ ମଧ୍ୟାହ୍ନ ଭୋଜନ ଖାଇବାକୁ ନେଉଛନ୍ତି। କଅଁଳ ବୟସରେ ଏ ଦୁହିଁଙ୍କ ବନ୍ଧୁତ୍ୱ ଦେଖି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗାଁ ଲୋକେ ଖୁସିବ୍ୟକ୍ତ କରିଛନ୍ତି।
ରିପୋର୍ଟ- କୋଇଡାରୁ ସୁନୀଲ ପଣ୍ଡା
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/iVpGD5x
No comments:
Post a Comment