ନୂଆଦିଲ୍ଲୀ: ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ । ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ। ବାକ୍ ସ୍ୱାଧୀନତା ତଥା ମତପ୍ରକାଶର ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବାକ୍ ସ୍ୱାଧୀନତା ନେଇ ଅଦାଲତ କହିଛନ୍ତି ଯେ, ସେମାନଙ୍କ ବୟାନ ପାଇଁ ସେମାନେ ନିଜେ ଦାୟୀ। ସମ୍ବିଧାନର ଧାରା ୧୯(୨)ରେ ପୂର୍ବରୁ ଏହି ସ୍ୱାଧୀନତା ଉପରେ କିଛି ଅଙ୍କୁଶ ରହିଛି। ଏହି ଧାରା ବାହାରେ ସେମାନଙ୍କ ଉପରେ କୌଣସି ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି।
ସେପଟେ ଏହି ୫ ଜଣିଆ ଖଣ୍ଡପୀଠରେ କେବଳ ଜଣେ ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା ଭିନ୍ନମତ ରଖିଥିଲେ। ଜଷ୍ଟିସ୍ ଏସ୍ ଅବଦୁଲ ନଜିରଙ୍କ ତତ୍ତ୍ୱାବଧାନରେ ଗଠିତ ଏହି ଖଣ୍ଡପୀଠର ଅନ୍ୟ ବିଚାରପତିମାନେ ହେଲେ ବିଆର୍ ଗଭାଇ, ଏ.ଏସ୍. ବୋପନ୍ନା ଏବଂ ଭି. ରାମସୁବ୍ରମଣ୍ୟମ।
ଜଷ୍ଟିସ ନାଗରତ୍ନା କହିଥିଲେ ଯେ କୌଣସି ମନ୍ତ୍ରୀ ଯଦି ତାଙ୍କ କ୍ଷମତା ଆଧାରରେ କୌଣସି ଅପମାନଜନକ ବୟାନ ଦିଅନ୍ତି, ତାହାକୁ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ା ଯାଇପାରିବ। ଘୃଣା ସୃଷ୍ଟିକାରୀ ଭାଷଣ ଭାରତ ଭଳି ରାଷ୍ଟ୍ରରେ ବିଭେଦ ଓ ବୈଷମ୍ୟ ବଢ଼ାଇଥାଏ। ଏହା ନାଗରିକମାନଙ୍କ ଉପରେ ପ୍ରହାର ବୋଲି ଜଷ୍ଟିସ ନାଗରତ୍ନା କହିଥିଲେ।
The post ବାକ୍ ସ୍ୱାଧୀନତା ଉପରେ ଲଗାଯାଇପାରିବନି କଟକଣା: ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/bK9pelP
No comments:
Post a Comment