କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅକ୍ସିଜେନ୍ ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।
ଗତକାଲି ରାତିରେ ବାଲେଶ୍ୱର ଅଞ୍ଚଳର ଜଣେ ଶ୍ୱାସ ରୋଗୀ ଏସ୍ସିବିର କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। କାଜୁଆଲିଟିରେ ଡାକ୍ତର ତାଙ୍କୁ ଦେଖିବା ପରେ ମେଡିସିନ୍ ଓ୍ୱାର୍ଡକୁ ପଠାଇ ଦେଇଥିଲେ। ତେବେ ମେଡିସିନ୍ ଓ୍ୱାର୍ଡରେ ତାଙ୍କୁ ଅକ୍ସିଜେନ୍ ମିଳିନଥିଲା। ପରିବାର ଲୋକେ ନର୍ସଙ୍କୁ ଅକ୍ସିଜେନ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ନର୍ସ ଜଣଙ୍କ କହିଥିଲେ ଅକ୍ସିଜେନ ନାହିଁ। ଅକ୍ସିଜେନ୍ ନ ମିଳିବାରୁ ଘଣ୍ଟାଏ ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଏସ୍ସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଏହା ଡାକ୍ତରଖାନା ନୁହେଁ। ଏଇଟା ଯମ ଖାନା। ଏଠିଥିବା ଡାକ୍ତରମାନେ ସ୍ୱୟଂ ଯମ ଦୂତ। ଏଠି ରୋଗୀମାନେ ଚିକିତ୍ସା ଅବହେଳାରୁ ପୋକମାଛି ପରି ମରୁଛନ୍ତି। ସରକାର ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଫିଲ୍ମ ଷ୍ଟାରଙ୍କୁ ଡାକି କୋଟି କୋଟି ଟଙ୍କା ଦେଉଛନ୍ତି। କିନ୍ତୁ କଟକ ବଡ଼ ମେଡିକାଲର ଅବ୍ୟବସ୍ଥା ଉପରେ ସରକାରଙ୍କ ନଜର ପଡ଼ୁନାହିଁ। ସରକାରଙ୍କ ପାଖରେ ଲୋକମାନଙ୍କ ଜୀବନର ମୂଲ୍ୟ କିଛି ନୁହେଁ।
ଏସ୍ସିବିର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଛାନ୍ଭିନ୍ ହେବ। ଘଟଣାରେ ଯାହାର ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UcE3TaH
No comments:
Post a Comment