ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅଧୀନ ପାତ୍ରପୁଟ ଗ୍ରାମ । ବଣପାହାଡ଼ ଘେରା ଏହି ଗାଁକୁ ଯିବାକୁ ୩ ପଟୁ ରାସ୍ତା ରହିଛି। ମାତ୍ର ସମସ୍ତ ରାସ୍ତା ଅବସ୍ଥା ତଦ୍ରୂପ । କେଉଁଠି ପିଚୁ ଉଠିଗଲାଣି ତ କେଉଁଠି ବଡ଼ ବଡ଼ ଖାଲ। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବା ବେଳେ ବର୍ଷା ଦିନ କଥା ନ କହିବା ଭଲ। ରାଜ୍ୟର ଅଧିକାଂଶ ଗାଁ ପରି ଏହି ଗାଁ ବି ଭୋଗୁଛି ଯାତାୟତଜନିତ ସମସ୍ୟା। ମାତ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏହା ହେଉଛି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସଦାଶିବ ପ୍ରଧାନୀଙ୍କ ନିଜ ଗାଁ ।
ବିଧାୟକଙ୍କ ଗାଁ ହୋଇ ବି ଏହାର ଅବସ୍ଥା ସୁଧୁରୁନି। ଯିଏ ନିଜ ଗାଁ ରାସ୍ତାକୁ ସୁଧାରି ପାରୁନି, ସେ ଆମ ଗାଁ କଥା କ’ଣ ବୁଝିବ ବୋଲି କହୁଛନ୍ତି ଭୋଟର । କେବଳ ସଦାଶିବ ପ୍ରଧାନୀ ନୁହନ୍ତି, ତାଙ୍କ ପରିବାର ଲୋକେ ବି ଜନ ପ୍ରତିନିଧି ରହି ଆସିଛନ୍ତି। ତାଙ୍କର ଜଣେ ଦାଦା ସାଂସଦ ଥିବା ବେଳେ ଭାଇ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ଏହାପରେ ବି ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ସୁଧୁରିବା ନାଁ ଧରୁନି।
ପାତ୍ରପୁଟ ଗ୍ରାମକୁ ଯିବାକୁ ହେଲେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଠାରୁ ୩ ପଟୁ ରାସ୍ତା ରହିଛି l ଉକ୍ତ ରାସ୍ତାଗୁଡ଼କ ପିଚୁ ରାସ୍ତା ହୋଇଥିଲେ ମଧ୍ୟ ନିମ୍ନମାନର କାମ, ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସମସ୍ତ ରାସ୍ତା ଶୋଚନୀୟ ହୋଇ ପଡ଼ିଛି।
ଗ୍ରାମନିର୍ମାଣ ବିଭାଜନ ବିଭାଗ ପକ୍ଷରୁ ୨୦୨୦-୨୧ ମସିହାରେ ୧୬ ଲକ୍ଷ ଟଙ୍କା ବ୍ୟୟରେ ପଡାଲଗୁଡାରୁ ପାତ୍ରପୁଟ ପର୍ଯ୍ୟନ୍ତ ରାସ୍ତା ମରାମତି କାମ ଶେଷ ହୋଇଥିଲା। କିନ୍ତୁ, ବାସ୍ତବରେ ନିମ୍ନମାନର କାମ ଯୋଗୁଁ ବର୍ତ୍ତମାନ ଉକ୍ତ ରାସ୍ତାର ଜାଗା ଜାଗାରେ ଖାଲ ଓ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତାଟି ମରଣଯନ୍ତା ପାଲଟିଛି l
ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ପାତ୍ରପୁଟ ଗାଁ ରାସ୍ତା ଓ ବିଧାୟକ ସଦାଶିବ ପ୍ରଧାନୀ।ସେହିଭଳି ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପକ୍ଷରୁ ୨୦୧୫-୧୬ ମସିହାରେ ୪ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୂଷାମୁଣ୍ଡିଗୁଡାରୁ କଣ୍ଟାଗାଁ ଭୟା ପାତ୍ରପୁଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ତିଆରି କରାଯାଇଥିଲା । କିନ୍ତୁ, ଏଠାରେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କ ମଧୁଚନ୍ଦ୍ରିକା ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାର ସ୍ଥିତି ସାଙ୍ଘାତିକ ହୋଇଯାଇଛି l
ସେହିଭଳି ଅନ୍ୟ ଏକ ରାସ୍ତା ହେଉଛି ତେନ୍ତୁଳୀଖୁଣ୍ଟି ବ୍ଲକ କାର୍ଯ୍ୟାଳୟର ପୂଜାରୀଗୁଡାରୁ ଗୁମ୍ମାକୁ ସଂଯୋଗ କରୁଥିବା ରାସ୍ତା l ଯାହାର ସ୍ଥିତି ମଧ୍ୟ ସମାନ ରହିଛି l ପୂଜାରୀଗୁଡାଠାରୁ ଦୀର୍ଘ ୭ କିଲୋମିଟର ଦୂର ଅଂଚଳ ଗୁମ୍ମା ପର୍ଯ୍ୟନ୍ତ ହୋଇଥିବା ୭ କିମି ବ୍ୟାପି ରାସ୍ତା ଯାତାୟତ ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡିଛି l ଏହି ରାସ୍ତାରେ ସବୁବେଳେ ଛୋଟମୋଟ ଦୁର୍ଘଟଣା ଘଟୁଛି।
ଏନେଇ ଗ୍ରାମବାସୀ ନିଜ ଗ୍ରାମର ପୁଅ ତଥା ବିଧାୟକ ସଦାଶିବଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଫଳଶୂନ ରହିଥିବା କହିଛନ୍ତି।
ସବୁଠାରୁ ଗୁରୁତ୍ୱପୁର୍ଣ ବିଷୟ ହେଲା ୧୯୬୭ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ ପାତ୍ରପୁଟ ଗ୍ରାମର ସ୍ୱର୍ଗତ ଖଗପତି ପ୍ରଧାନୀ ଲଗାତାର ଭାବେ ୯ ଥର ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ l ସେହିପରି ତାଙ୍କ ଭାଇ ଗୋପୀନାଥ ପ୍ରଧାନୀ ବହୁବାର ପାତ୍ରପୁଟ ସରପଞ୍ଚ ଏବଂ ୧୯୯୭ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
ବର୍ତ୍ତମାନର ବିଧାୟକ ସଦାଶିବ ପ୍ରଧାନୀ ହେଉଛନ୍ତି ପୂର୍ବତନ ସାଂସଦ ସ୍ୱର୍ଗତ ଖଗପତି ପ୍ରଧାନୀଙ୍କ ପୁତୁରା । ୨୦୧୯ ମସିହାରୁ ସେ ନବରଙ୍ଗପୁର ବିଧାୟକ ଅଛନ୍ତି l ପାତ୍ରପୁଟ ଗ୍ରାମର ଗୋଟିଏ ପରିବାର ସଦସ୍ୟ ଦୀର୍ଘ ବର୍ଷ ହେବ ସାଂସଦ, ବିଧାୟକ ଓ ଜିଲ୍ଲାପରିଷଦ ଅଧକ୍ଷ ରହିଥିବା ସତ୍ତ୍ୱେ ନିଜସ୍ୱ ଗାଁକୁ ଏକ ଭଲ ରାସ୍ତା ଖଣ୍ଡେ କରି ନ ପାରିବା ପରିତାପର ବିଷୟ ବୋଲି କହିଛନ୍ତି ଗ୍ରାମବାସୀ।
ବିଧାୟକ ନିର୍ବାଚନ ସମୟରେ ଗାଁକୁ ଯାଉଥିବା ବେଳେ ଅନ୍ୟ ସମୟରେ ନବରଙ୍ଗପୁରରେ ରହି ନିଜ ଗାଁର ସମସ୍ୟା କଥା ଭୁଲିଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ତେଣୁ, ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ପାତ୍ରପୁଟ ଗ୍ରାମ ପର୍ଯ୍ୟନ୍ତ ସଡ଼କ ବ୍ୟବସ୍ଥା କାମ ଶେଷ କରିବାକୁ ଦାବି ରଖାଯାଇଛି l
ଅନ୍ୟପଟେ ସ୍ଥାନୀୟ ଲୋକ ଓ ବିଭିନ୍ନ ଦଳର ନେତାଙ୍କ ଅଭିଯୋଗକୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଖଣ୍ଡନ କରିଥିବାବେଳେ ରାସ୍ତାର ଶୋଚନୀୟ ଅବସ୍ଥାକୁ କିନ୍ତୁ ସ୍ୱୀକାରକରିଛନ୍ତି l ଏନେଇ ସେ କହିଛନ୍ତି, ପାତ୍ରପୁଟ ହେଉଛି ମୋ ନିଜ ଗାଁ । ସେଥିପ୍ରତି ସବୁବେଳେ ମୋର ଆନ୍ତରିକତା ରହିଛି । ଏବେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର କାମ ଆମ୍ଭ ହେବ। ମୁଁ ସରପଞ୍ଚ ନୁହେଁ ଯେ ଗୋଟିଏ ପଞ୍ଚାୟତ ଦେଖିବି। ମୋତେ ୫୦ଟି ପଞ୍ଚାୟତର କାମ ଦେଖିବାକୁ ପଡ଼ିଛି। ତେଣୁ ମୋତେ ନବରଙ୍ଗପୁରରେ ରହିବାକୁ ପଡ଼ୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fQx5U78
No comments:
Post a Comment