ପୁଣିଥରେ ଭୂକମ୍ପ ଝଟକାରେ ଥରିଛି ତୁର୍କୀ ଓ ସିରିୟା। ସୋମବାର ବିଳମ୍ବିତ ରାତିରେ ଏହି ଦୁଇ ଦେଶର ଲୋକ ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ଏକାଧିକ ଘର ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଥିବା ବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୨୦୦ ଜଣ ଆହତ ହୋଇଛନ୍ତି। ଏକାଧିକ ଘର ଭାଙ୍ଗି ଯାଇଥିବାରୁ ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶାଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳ ହେଉଛି ତୁର୍କୀର ହାତାୟ ପ୍ରଦେଶ ଅନ୍ତର୍ଗତ ଡେଫନେ। ଏହି ପ୍ରଦେଶଟି ଫେବୃଆରୀ ୬ରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣିଥରେ ସହରବାସୀ ୬.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ତୁର୍କୀରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ଏହାର ପ୍ରଭାବ ସିରିୟା, ଜୋର୍ଡାନ, ସାଇପ୍ରସ, ଇସ୍ରାଏଲ ଓ ସୁଦୂର ଇଜିପ୍ଟରେ ଅନୁଭୂତ ହୋଇଛି।
ପ୍ରଥମ ଝଟକାର କିଛି ସମୟ ପରେ ଏଠାକାର ଲୋକମାନେ ଆଉ ଥରେ ଝଟକା ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଥିବା ବେଳେ ବିସ୍ତୃତ ତଥ୍ୟ ମିଳିନାହିଁ।
ଅନ୍ୟପକ୍ଷରେ ଫେବୃଆରୀ ୬ରେ ତୁର୍କୀ ଓ ସିରିୟାରେ ଦେଖାଯାଇଥିବା ୭.୮ ତୀବ୍ରତାର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୪୬ ହଜାର ପାର କରିଛି। ଦୀର୍ଘଦିନ ଧରି ବିଭିନ୍ନ ଦେଶର ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳକୁ ଜୀବନ ସନ୍ଧାନ କରିଥିଲେ। ସୋମବାର ଏହି ଉଦ୍ଧାର କାର୍ଯ୍ୟକୁ ଶେଷ କରାଯାଇଛି। ତଥାପି ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି।
ଲୋକମାନେ ନିଜର ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ସରକାର କେବଳ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ଏପରି ସ୍ଥିତିରେ ପୁଣି ଭୂକମ୍ପ ଝଟକା ଲୋକଙ୍କୁ ଆତଙ୍କିତ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/S1LGprv
No comments:
Post a Comment