ପୂର୍ବ ଲଦାଖର ଏଲଏସି ସ୍ଥିତିକୁ ନେଇ ଭାରତ ଓ ଚାଇନା କୂଟନୀତିକ ସ୍ତରରେ ଆଲୋଚନା କରିଛନ୍ତି। ବୁଧବାର ଏହି ଆଲୋଚନା ହୋଇଥିଲା। ଆଲୋଚନା ବେଳେ ସୀମାର ସ୍ଥିତି ସମ୍ପର୍କରେ ଉଭୟ ଦେଶ ସମୀକ୍ଷା କରିଥିଲେ। ଏଥିସହ ମୁକ୍ତ ଓ ନିରପେକ୍ଷ ଭାବେ ସୀମାର ବିଭିନ୍ନ ସ୍ଥାନରେ ଦୁଇ ଦେଶ ମୁତୟନ କରିଥିବା ସେନା ପ୍ରତ୍ୟାହାର ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।
ସୀମା ସ୍ଥିତି ସମ୍ପର୍କରେ ପୁଣିଥରେ ବରିଷ୍ଠ କମାଣ୍ଡର୍ସ ସ୍ତରୀୟ ଆଲୋଚନା ପାଇଁ ମଧ୍ୟ ଉଭୟ ଦେଶ ରାଜି ହୋଇଥିବା ଜଣାପଡ଼ିଛି। ସୀମାରେ ତିକ୍ତତା ଯୋଗୁ ଭାରତ ଓ ଚାଇନା ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଭଟା ସୃଷ୍ଟି ହୋଇଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଶାନ୍ତି ବଜାୟୀ ରଖିବା ପାଇଁ ଉଭୟ ଦେଶ ଉଦ୍ୟମ କରିବେ ବୋଲି ବୈଠକ ବେଳେ ନିଷ୍ପତ୍ତି ହୋଇଛି।
ସୀମାରୁ ଡିସଏନଗେଜମେଣ୍ଟ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନଥିଲେ ମଧ୍ୟ ୨୦୧୯ ପରେ ପ୍ରଥମଥର ପାଇଁ କୂଟନୀତିକ ସ୍ତରରେ ଏପରି ୱାନ ଟୁ ୱାନ ଆଲୋଚନା ଦୁଇ ଦେଶ ମଧ୍ୟରେ ହୋଇଛି। ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ(ପୂର୍ବ ଏସିଆ)ଙ୍କ ନେତୃତ୍ୱରେ ଗୋଟିଏ ଟିମ ବେଜିଂ ଯାଇ ଆଲୋଚନା କରିଛି। ୨୦୨୦ ଏପ୍ରିଲ-ମେ’ରେ ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଦେଖା ଯାଇଥିଲା। ଏହାପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରତିନିଧି ମଣ୍ଡଳ ଚାଇନା ଗସ୍ତ କରି ଆଲୋଚନା କରିଛନ୍ତି।
ସରକାର ଗୋଟିଏ ବିବୃତିରେ କହିଛନ୍ତି ଯେ “ଦୁଇ ପକ୍ଷ ଭାରତ-ଚାଇନା ସୀମାର ୱେଷ୍ଟର୍ଣ୍ଣ ସେକ୍ଟରର ଏଲଏସି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ବାକି ରହିଥିବା ଅଞ୍ଚଳରୁ ଡିସଏନଗେଜମେଣ୍ଟକୁ ତୁରନ୍ତ ମୁକ୍ତ ଓ ନିରପେକ୍ଷ ଭାବେ ଶେଷ କରିବାକୁ କଥା ହୋଇଛନ୍ତି। ଏହାଦ୍ୱାରା ୱେଷ୍ଟର୍ଣ୍ଣ ସେକ୍ଟର ସମେତ ପୂରା ଏଲଏସିରେ ସ୍ଥିରତା ଓ ଶାନ୍ତି ଫେରି ପାରିବ। ସେହିପରି ଦ୍ୱିପାକ୍ଷିକ ସମ୍ପର୍କ ପୁଣି ଥରେ ସ୍ୱାଭାବିକ ହେବ।”
ବର୍ତ୍ତମାନ ରହିଥିବା ଦ୍ୱିପାକ୍ଷିକ ଚୁକ୍ତି ଓ ପ୍ରୋଟକଲ ଅନୁସାରେ ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱ ଦେଇ ସରକାର କହିଛନ୍ତି ଯେ ଖୁବଶୀଘ୍ର ଦୁଇ ଦେଶ ବରିଷ୍ଠ କମାଣ୍ଡର୍ସ ସ୍ତରୀୟ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ୧୮ ଥର ପାଇଁ ଭାରତ ଓ ଚାଇନା ମଧ୍ୟରେ ଏପରି କମାଣ୍ଡର୍ସ ସ୍ତରୀୟ ଆଲୋଚନା ହେବ। ଦୁଇ ଦେଶ ଆଗକୁ ସ୍ଥିତି ସ୍ୱାଭାବିକ କରିବା ପାଇଁ ଉଭୟ କୂଟନୀତିକ ଓ ସାମରିକ ସ୍ତରୀୟ ଅଲୋଚନା ଜାରି ରଖିବାକୁ ସହମତି ପ୍ରକାଶ କରିଥିବା ଭାରତ ସରକାର କହିଛନ୍ତି।
ଚାଇନା ସରକାର ମଧ୍ୟ ଭାରତ ସହ ହୋଇଥିବା ଆଲୋଚନା ବେଶ ସକରାତ୍ମକ ରହିଥିବା କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qPJcnhO
No comments:
Post a Comment