ଦୁଇ ବର୍ଷ ପରେ ଜେଲରୁ ମୁକୁଳିଲେ କେରଳ ସାମ୍ବାଦିକ ସିଦ୍ଦିକ୍ କପ୍ପାନ। ଉତ୍ତରପ୍ରଦେଶର ହାଥରସ୍ ମାମଲାରେ ସିଦ୍ଦିକଙ୍କ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କିତ ଦଫାରେ ମାମଲା ରୁଜୁ ହୋଇଥିଲା। ହାଥରସ୍ର ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟାରେ ଶିକାର ହେବା ପରେ ଏହାର ରିପୋଟିଂ ପାଇଁ ସିଦ୍ଦିକ୍ ହାଥରସ ଯାତ୍ରା କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ନିକଟରେ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବ୍ୟାନରରେ ସିଦ୍ଦିକ କାମ କରୁଥିବା ଅଭିଯୋଗ ହୋଇଥିଲା।
ହାଥରସ୍ରେ ହିଂସା ଉସକେବା ଅଭିଯୋଗରେ ସିଦ୍ଦିକ୍ ଏବଂ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୨୦ ଅକ୍ଟୋବରରେ ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ରିପୋର୍ଟିଂ କରିବାକୁ କପ୍ପାନ ଅକ୍ଟୋବର ୫ରେ ହାଥରସର ବୋଲାଗରି ଗାଁକୁ ଯାଉଥିଲେ। ହେଲେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ଗିରଫ କରି ଥିଲା। ତାଙ୍କୁ ‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ୍ ଆକ୍ଟ୍’ ବଳରେ ଗିରଫ କରାଯାଇଥିଲା। ସେବେଠାରୁ ତାଙ୍କୁ ଜେଲ୍ରେ ରଖାଯାଇଥିଲା। କପ୍ପାନଙ୍କୁ ଧାରା ୧୨୪ଏ, ୧୫୩ଏ ଓ ୨୯୫ଏରେ ଗିରଫ କରାଯାଇଛି। ତାଙ୍କ ନାଁରେ ଦେଶଦ୍ରୋହ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା କରାଯାଇଛି।
ଗତ ବର୍ଷ ସେପ୍ଟମ୍ବର ମାସରେ ସିଦ୍ଦିକଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ତାଙ୍କ ବିରୋଧରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଥିବାରୁ ତାଙ୍କୁ ଲକ୍ଷ୍ନୌ ଜେଲରେ ରହିବାକୁ ପଡ଼ିଥିଲା। ପ୍ରଥମରେ ସିଦ୍ଦିକଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ଆକ୍ଟରେ ଦେଶଦ୍ରୋହ ମାମଲା ରୁଜ ହୋଇଥିଲା । ପରେ ଗତ ବର୍ଷ ଫେବୃଆରୀ ମାସରେ ଇଡି ପକ୍ଷରୁ ସିଦ୍ଦିକଙ୍କ ବିରୋଧରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ପିଏଫଆଇଠାରୁ ସିଦ୍ଦିକ୍ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ମନିଲଣ୍ଡରିଂ ମାମଲାରେ ଗତ ବର୍ଷ ଡିସେମ୍ବର ୨୩ରେ ସିଦ୍ଦିକ୍ କପ୍ପାନଙ୍କୁ ଆଲ୍ଲାବାଦ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ। ତେବେ ଜାମିନ୍ ପାଇଁ କୋର୍ଟ ଧାର୍ଯ୍ୟ କରିଥିବା ବଣ୍ଡକୁ ସିଦ୍ଦିକ୍ ବୁଧବାର ଉପସ୍ଥାପିତ କରିଥିଲେ। ଏହା ପରେ ଜେଲରୁ ମୁକୁଳିଛନ୍ତି। କୋର୍ଟର ସର୍ତ୍ତ ଅନୁଯାୟୀ ପ୍ରତି ସପ୍ତାହରେ ସେ ସ୍ଥାନୀୟ ଥାନାରେ ହାଜର ହେବେ। ଜେଲ୍ରୁ ମୁକ୍ତ ହେବା ଆଗରୁ ସେ ତାଙ୍କର ପାସ୍ପୋର୍ଟ ଦାଖଲ କରିବେ। ସେହିପରି ସେ ସାକ୍ଷୀମାନଙ୍କ ସହିତ ମିଳାମିଶା କରିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Y5szZ4D
No comments:
Post a Comment