ଭାରତ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଆହତ ସମସ୍ୟା ଯୋଗୁ ଦୀର୍ଘ ଦିନ ହେଲା ଅଷ୍ଟ୍ରେଲିଆ ସ୍କ୍ୱାଡରୁ ବାଦ ପଡ଼ିଥିବା ଦୁଇ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଓ ମିଚେଲ ମାର୍ଶ କମବ୍ୟାକ କରିଛନ୍ତି। ମାର୍ଶ ଆଙ୍କେଲ ଓ ମ୍ୟାକ୍ସୱେଲ ସଡ଼କ ଦୁର୍ଘଟଣା ପରେ ଗୋଡ଼ ଆହତ ଜନିତ ସମସ୍ୟାରେ ପଡ଼ିଥିଲେ।
ହେଲେ ଏବେ ଉଭୟ ଫିଟ ହୋଇ ସାରିଥିବାରୁ ସେମାନଙ୍କୁ ଭାରତ ବିପକ୍ଷ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ପ୍ରାୟ ବର୍ଷକ ପରେ ଝାଇ ରିଚାର୍ଡସନ ମଧ୍ୟ ଅଷ୍ଟ୍ରେଲିଆର ଜାତୀୟ ଦଳକୁ ଫେରିଛନ୍ତି।
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆହତ ହୋଇ ସ୍ୱଦେଶ ଫେରିଥିବା ଡାଭିଡ ୱାର୍ଣ୍ଣର ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ହେଲେ ଦ୍ରୁତ ବୋଲର ଜୋଶ ହେଜେଲଉଡ ଏବେ ବି ଫିଟ ନଥିବାରୁ ତାଙ୍କୁ ଭାରତ ବିପକ୍ଷ ଦିନିକିଆ ସ୍କ୍ୱାଡରୁ ବାଦ ଦିଆଯାଇଛି।
ଅଷ୍ଟ୍ରେଲିଆ ଟିମର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ କହିଛନ୍ତି, ମ୍ୟାକ୍ସୱେଲ, ମାର୍ଶ ଓ ରିଚାର୍ଡସନ ଏହି ସ୍କ୍ୱାଡରେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଚଳିତ ବର୍ଷ ଭାରତରେ ବିଶ୍ୱକପ ଖେଳାଯିବ। ତେଣୁ ଭାରତ ବିପକ୍ଷରେ ଏହି ସିରିଜ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ଅକ୍ଟୋବର ମାସରେ ଗଠନ ହେବାକୁ ଥିବା ସ୍କ୍ୱାଡକୁ ଦୃଷ୍ଟିରେ ରଖି ଆମେ ଖେଳାଳି ଚୟନ କରିଛୁ ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆ ପୂର୍ବରୁ ଭାରତ ମଧ୍ୟ ଦିନିକିଆ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରି ସାରିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଜୟଦେବ ଉନାଦକତଙ୍କ ଦିନିକିଆକୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ଦୀର୍ଘ ୯ ବର୍ଷ ପରେ ଭାରତର ଦିନିକିଆ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ଏହି ସ୍କ୍ୱାଡରେ ଅର୍ଶଦୀପ ସିଂହ ନାହାନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ୧୭ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ମୁମ୍ବାଇରେ ଖେଳାଯିବ। ଏହାପରେ ଦ୍ୱିତୀୟ ଦିନିକିଆ ୧୯ ତାରିଖରେ ବିଶାଖାପଟନମ ଓ ଶେଷ ମ୍ୟାଚ୍ଟି ୨୨ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆର ଦିନିକିଆ ସ୍କ୍ୱାଡ: ପାଟ କମିନ୍ସ(ଅଧିନାୟକ), ସେନ ଆବୋଟ୍ଟ, ଅଷ୍ଟନ ଅଗର, ଆଲେକ୍ସ କେରୀ, କାମେରୁନ ଗ୍ରୀନ, ଟ୍ରାଭିସ ହେଡ, ଜୋଶ ଇଙ୍ଗଲିଶ, ମାର୍ନସ ଲାବୁଶେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଝାଇ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zF7dClW
No comments:
Post a Comment