ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିବାକୁ ଅଚାନକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଲେ । ଯାହା ଦେଖିଲେ, ତାତିଗଲେ। ସିଡିଏମ୍ଓ, ଏଡିଏମ୍ଓଙ୍କୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଘେରାଉ କଲେ। ଡାକ୍ତରମାନେ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ କରିଥିବା ବେଳେ ଏଥିଯୋଗୁ ରୋଗୀ ହୀନସ୍ତା ହେଉଥିବା କହିଥିଲେ। ଭବିଷ୍ୟତରେ ଏପରି ହେଲେ ଢେଙ୍କାନାଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବି ଚେତାବନୀ ଦେଇଛନ୍ତି।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଠିକ୍ ଭାବେ ସେବା ପାଇ ପାରୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଆଜି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଏକତ୍ରିତ ହୋଇ ମେଡିକାଲରେ ପ୍ରବେଶ କରିଥିଲେ।
ସେମାନେ ସକାଳ ୮ଟା ପରେ ଆଉଟଡୋରକୁ ଯାଇଥିବା ବେଳେ ସେଠାରେ ରୋଗୀଙ୍କ ଭିଡ଼ ଥିବା ବେଳେ ଜଣେ ଡାକ୍ତର ଥିବା ଦେଖିବାକୁ ପାଇଥିଲେ। ଉକ୍ତ ଡାକ୍ତରଙ୍କୁ ପଚାରିବାରୁ ସେ ନାଇଟ ଡ୍ୟୁଟି କରୁଥିଲେ, ସକାଳ ଷ୍ଟାଫ ଆସି ନ ଥିବା କହିଥିଲେ।
ଏହାପରେ ଏହି ସଦସ୍ୟମାନେ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କଠାରୁ ଚିକିତ୍ସା ସୁବିଧା କଥା ପଚାରି ବୁଝିଥିଲେ। କିଏ କାଲିଠୁ ଆଡମିଟ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ଦର୍ଶନ ପାଇ ନ ଥିବା କହିଥିଲେ। ଆଉ କିଏ ଠିକ୍ ସମୟରେ ଖାଇବା ପାଉ ନ ଥିବା ଅତି କ୍ଷୋଭର ସହ କହିଥିଲେ।
ଏହା ଶୁଣି ବିଭିନ୍ନ ସଂଘ ସଦସ୍ୟ ସିଡିଏମଓ ଓ ଏଡିଏମଓଙ୍କୁ ଘେରିଥିଲେ। ତୁରନ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ନ ଆସିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସମସ୍ତ ସଂଘ ।
ଏନେଇ ସିଡିଏମ୍ଓ ଅଶୋକ କୁମାର ଦାସ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୨ ଡାକ୍ତର ପଦବୀ ଥିବା ବେଳେ ଏବେ ମାତ୍ର ୨୭ଜଣ କାର୍ଯ୍ୟରତ ଅଛନ୍ତି। ହେଲେ ଯେଉଁ ଡାକ୍ତର ଠିକ୍ ସମୟରେ ନ ଆସିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସେମାନଙ୍କ ଦରମା ବନ୍ଦ କରିବାକୁ ପଦକ୍ଷେପ ନିଆଯିବ । କଡ଼ାକଡ଼ି ଭାବେ ଏହାର ଯାଞ୍ଚ କରିବାକୁ ଏଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର କହିଛନ୍ତି, ଆଉଟଡୋରକୁ ଠିକ୍ ସମୟରେ ଡାକ୍ତର ଆସୁ ନାହାନ୍ତି। ଢେଙ୍କାନାଳରେ ବିଭିନ୍ନ ଅଫିସରେ କାର୍ଯ୍ୟ କରୁଥିବା ଅଧିକାରୀ ଠିକ୍ ସମୟରେ ନିଜ ଡ୍ୟୁଟି ନ କଲେ, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ଏନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବୁ। ପରିସ୍ଥିତିରେ ସୁଧାର ନ ଆସିଲେ ରାଜରାସ୍ତାକୁ ଓହ୍ଲାଇବୁ।
ସୂଚନାଯୋଗ୍ୟ, ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ୫-ଟି ଅଧୀନକୁ ନିଆଯାଇ ସବୁ ଜିଲ୍ଲାରେ ବଡ଼ ବଡ଼ ହସ୍ପିଟାଲ ନିର୍ମାଣ କରାଯାଉଛି। କେବଳ ଭିତ୍ତିଭୂମିକୁ ସୁଦୃଢ କରାଯାଉଥିବା ବେଳେ ଡାକ୍ତର ପଦବୀ ପୂରଣ କରିବା ଉପରେ ଗୁରୁତ୍ୱ ଦିଆଯାଉନି। ଫଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CAjSyZU
No comments:
Post a Comment