ତୁର୍କୀରେ ତାଣ୍ଡବ ରଚିଲା ପ୍ରକୃତି । ୨୪ ଘଣ୍ଟା ମଧ୍ୟରେ ତିନି ତିନିଟି ଭୂମିକମ୍ପରେ ଥରହର ହେଲା ତୁର୍କୀ। ଗତକାଲି ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏଯାଏଁ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଭୂମିକମ୍ପ ଯୋଗୁ ତୁର୍କୀର ୯ଟି ପ୍ରଦେଶ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ଭାରତ ପକ୍ଷରୁ ଉଦ୍ଧାରକାରୀ ଦଳ ପଠାଯାଇଛି।
ଗତ ୮୦ ବର୍ଷ ମଧ୍ୟରେ ସବୁଠୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ତୁର୍କୀର ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି।
ଗତକାଲି ଭୋର ସମୟରେ ତୁର୍କୀର ଗାଜିଆନ୍ତିପ ପ୍ରଦେଶର ନୁରଡାଗିର ପୂର୍ବରେ ପ୍ରଥମ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପର ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପର ପ୍ରାୟ ୯ ଘଣ୍ଟା ପରେ ୭.୫ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂମିକମ୍ପ ସନ୍ଧ୍ୟାରେ ଅନୁଭୂତ ହୋଇଛି। ପ୍ରଥମ ଭୂମିକମ୍ପର ପ୍ରାୟ ୧୮ ଘଣ୍ଟା ପରେ ୬.୦ ତୀବ୍ରତା ବିଶିଷ୍ଟ ତୃତୀୟ ଝଟକା ଅନୂଭୂତ ହୋଇଥିଲା। ପଛକୁ ପଛ ପ୍ରାୟ ୫୦ରୁ ଅଧିକ କମ୍ପନ ଯୋଗୁ ତୁର୍କୀବାସୀ ଭୟରେ ଥରହର ହେଉଛନ୍ତି। ଏଥିଯୋଗୁ ତୁର୍କୀରେ ୫ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନେ ତାସ୍ ଘର ପରି ଭୁଶୁଡ଼ି ଯାଇଛି।
ଭୂକମ୍ପ ସ୍ଥିତିକୁ ନେଇ ତୁର୍କୀ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ ଗଭୀର ଶୋକବ୍ୟକ୍ତ କରିବା ସହ ଅନ୍ୟ ଦେଶର ସହାୟତା ଲୋଡ଼ିଛନ୍ତି। ପାଖାପାଖି ୪୫ଟି ଦେଶ ତୁର୍କୀକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ୧୯୩୯ ମସିହାର ଭୂମିକମ୍ପ ପରେ ଏହା ଦେଶର ସବୁଠୁ ବଡ଼ ଭୂମିକମ୍ପ ।
ସେହିପରି ଭୂକମ୍ପର ପ୍ରଭାବ ସିରିୟାରେ ମଧ୍ୟ ଦେଖିବାକୁ ମିଳିଛି । ସିରିୟାର ଆଲେପ୍ପୋରେ ୧୨ରୁ ଅଧିକ ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସିରିୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଭୂକମ୍ପ ମଧ୍ୟରେ ବର୍ତ୍ତମାନର ଭୂକମ୍ପ ସବୁଠାରୁ ଅଧିକ ଶକ୍ତିଶାଳୀ ଥିବା କହିଛନ୍ତି ସେଠାକାର ସରକାର। ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆନ୍ତଃରାଷ୍ଟ୍ରୀୟ ସହାୟତା ଯୋଗାଇ ଦେବାକୁ ସିରିଆ ସରକାର ନିବେଦନ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ତୁର୍କୀକୁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ଏୟାରକ୍ରାଫ୍ଟ ତୁର୍କୀ ଅଭିମୁଖେ ପଠାଯାଇଛି। ଏହି ବିମାନରେ ଏନଡିଆରଏଫ୍ ଟିମ୍, ଡଗ୍ ସ୍କ୍ୱାର୍ଡ, ମେଡିସିନ, ରିଲିଫ ସାମଗ୍ରୀ ଡ୍ରିଲ୍ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ପଠାଯାଇଛି। ଏହାବାଦ ଜର୍ମାନୀ, ଇସ୍ରାଏଲ, ଆମେରିକା, ବ୍ରିଟେନ ପ୍ରମୁଖ ରାଷ୍ଟ୍ର ତୁର୍କୀକୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pXtjhgJ
No comments:
Post a Comment