ବାଲେଶ୍ୱର ଫକିର ମୋହନ ଜୁନିୟର କଲେଜର ଯୁକ୍ତ ଦୁଇ କଳାରେ ପଢ଼ନ୍ତି ରୂପକ ଦଳେଇ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ନଚ୍ଛିପୁର ଗାଁରେ। ରୂପକ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ତାଙ୍କ ପାଠପଢ଼ାରେ ବାଧକ ସାଜିଛି ଅର୍ଥ। ରୂପକଙ୍କ ବାପା ଗାଁରେ ଦିନ ମଜୁରିଆ ଭାବେ କାମ କରନ୍ତି। ପୁଅର ସଂପୂର୍ଣ୍ଣ ପାଠପଢ଼ା ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ।
ଅନ୍ୟପଟେ ପିଲାଟି ବେଳୁ ଅଭାବ ଅନଟନରେ ବଢ଼ିଥିବା ରୂପକଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି। ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକରେ ଭଲ ନମ୍ବର ରଖି ପାସ କରିଥିଲେ। ପରେ ସେ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରେ ପଢ଼ିବା ପାଇଁ ଆବେଦନ କରିଥିଲେ। ଦଶମରେ ଭଲ ନମ୍ବର ରଖିଥିବାରୁ ରୂପକଙ୍କୁ କଲେଜରେ ପଢ଼ିବାକୁ ସିଟ୍ ମିଳିଥିଲା। ସେ କଲେଜ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।
ହେଲେ ଆଗକୁ କିପରି ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜ ସ୍ୱପ୍ନକୁ ହାସଲ କରିବେ ଏବେ ସେ ଚିନ୍ତା ତାଙ୍କୁ ଘାରିଛି । ହଷ୍ଟେଲ ଖର୍ଚ୍ଚ ଓ ପାଠ ପଢ଼ା ଖର୍ଚ୍ଚ ବାବଦକୁ ବାପା ଦେଉଥିବା ଟଙ୍କା ଅଣ୍ଟୁ ନଥିବାରୁ ପରିବାର ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରୂପକ। ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ଚୁଟି କାଟୁଛନ୍ତି। ସେମାନେ ଯେଉଁ ପଇସା ଦେଉଛନ୍ତି ସେଥିରେ ନିଜ ପାଠପଢ଼ା ଖର୍ଚ୍ଚରେ ଲଗାଉଛନ୍ତି। ରୂପକ ବିଭିନ୍ନ ଷ୍ଟାଇଲରେ ଚୁଟି କାଟି ପାରନ୍ତି। ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନେ ରୂପକଙ୍କ ପାଖକୁ ଚୁଟି କାଟିବାକୁ ଆସନ୍ତି। ଏହା ବ୍ୟତୀତ ରୂପକଙ୍କୁ କଲେଜର ଜଣେ ଅଧ୍ୟାପକ କିଛି ସାହାଯ୍ୟ କରିଥାନ୍ତି।
ରୂପକ କହିଛନ୍ତି, ମୋ ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନାହିଁ। ଚୁଟି କାଟିବା ମୁଁ ପିଲାଦିନରୁ ଶିଖିଛି। ସେଥିପାଇଁ ପିଲାମାନଙ୍କ ଚୁଟି କାଟି ଓ କାଠ ବିକ୍ରି କରି ମୁଁ ହଷ୍ଟେଲ ଫି’ ଦେଉଛି ଓ ଏହାସହ ବହିପତ୍ର କିଣୁଛି।
ଫକୀର ମୋହନ ଜୁନିଅର କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା କହିଛନ୍ତି, ରୂପକ ଜଣେ ମେଧାବୀ ଛାତ୍ର। ଭଲ ପାଠପଢ଼ିବା ସହ ଖେଳକୁଦରେ ମଧ୍ୟ ଭଲ କରୁଛି। ସେ ହଷ୍ଟେଲରେ ପିଲାମାନଙ୍କ ଚୁଟି କାଟି ଯେଉଁ ପଇସା ରୋଜଗାର କରୁଛି ନିଜ ପାଠପଢ଼ାରେ ଲଗାଉଛି।
ଆଗାମୀ ଦିନରେ ରୂପକ ଅନ୍ୟପିଲାଙ୍କ ପାଇଁ ଉଦାହରଣ ହେବେ ବୋଲି ଅଧ୍ୟାପକ ସନ୍ତୋଷ କୁମାର ରାଉତ କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/cZ0DAgp
No comments:
Post a Comment