୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ସୁକେଶଙ୍କ ଚରିତ୍ରସଂହାର କଲାଭଳି ମନ୍ତବ୍ୟ ଦେଇଥିବାରୁ ଚାହତ ଖାନ୍ନାଙ୍କୁ ସେ ଲିଗାଲ ନୋଟିସ୍ ପଠାଇଛନ୍ତି। ଏଥିସହ ଚାହତ ଖାନ୍ନାଙ୍କୁ ସେ ନିଃସର୍ତ୍ତ କ୍ଷମା ମାଗିବା ପାଇଁ କହିବା ସହ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ରେ ସୁକେଶଙ୍କ ସମ୍ମାନହାନି ଓ ତାଙ୍କୁ ମାନସିକ ଆଘାତ ଦେଇଥିବା ଉଲ୍ଲେଖ ରହିଛି। ଏବେ ତିହାର ଜେଲରେ ଅଛନ୍ତି ସୁକେଶ। ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜାକଲିନ ଫର୍ଣ୍ଣାଡିଜଙ୍କୁ ନେଇ ସୁକେଶ ବିବାଦୀୟ ଥିବା ବେଳେ ଟେଲି ଅଭିନେତ୍ରୀ ଚାହତ ଖାନ୍ନା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ ।
ଜେଲକୁ ଜୋରଜବରଦସ୍ତ ନେଇ ବିବାହ କରିବାକୁ ସୁକେଶ ତାଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଚାହତ। ଚାହତ କହିଛନ୍ତି, ମୋତେ ୨୦୧୮ରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ମୁଁ ପିଙ୍କି ଇରାନୀଙ୍କୁ ଭେଟିଥିଲି। ଏହାର କିଛି ଦିନ ପରେ ହଠାତ୍ ମୋତେ ଏକ ଅଜଣା ଗାଡ଼ି ଉଠାଇ ନେଇ ତିହାର ଜେଲ ପରିସରକୁ ଚାଲିଯାଇଥିଲା। ସେଠାରେ ମୋର ଦେଖା ହୋଇଥିଲା ସୁକେଶଙ୍କ ସହ। ସେ ନିଜକୁ ଏକ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଟିଭି ଚ୍ୟାନେଲର ମାଲିକ ତଥା ଜେ ଜୟଲଳିତାଙ୍କ ଭଣଜା ବୋଲି କହିଥିଲେ। ଏହା ସହ ନିର୍ବାଚନ ସମୟରେ ଇଭିଏମ୍ ଟାମ୍ପରିଂ ପାଇଁ ତାଙ୍କୁ ଗିରଫ କରାଯାଇଥିଲା ବୋଲି କହିଥିଲେ। କିଛି ସମୟର କଥାବାର୍ତ୍ତା ପରେ ସେ ମୋତେ ଆଣ୍ଠୁମାଡି ବିବାହ ପ୍ରସ୍ତାବ ଦେଇଥିଲେ। ମୁଁ ବିବାହିତ ଓ ମୋର ଦୁଇଟି ସନ୍ତାନ ଥିବା କହିବାରୁ ସେ ମୋ ଦୁଇ ସନ୍ତାନଙ୍କ ବାପା ହେବାକୁ ଚାହାନ୍ତି ବୋଲି କହିଥିଲେ।
ଚାହତଙ୍କ ଅନୁଯାୟୀ, ଏଭଳି ପ୍ରସ୍ତାବ ପାଇ ସେ କାନ୍ଦିବାରୁ ତାଙ୍କୁ ୨ଲକ୍ଷ ଟଙ୍କା ଶଗୁନ ଭାବେ ଦେଇ ମୁମ୍ବାଇ ବିମାନବନ୍ଦରରେ ଛାଡ଼ି ଦିଆଯାଇଥିଲା। ମୁମ୍ବାଇ ଆସିବା ପରେ ଚାହତଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା ସୁକେଶ। ତିହାର ଜେଲ ଆସି ଭେଟିଥିବାର ଭିଡିଓ ନିଉଜ ଚ୍ୟାନେଲକୁ ଦେଇଦେବି ବୋଲି କହି ଚାହତଙ୍କୁ ବ୍ଲାକମେଲ କରି ୧୦ଲକ୍ଷ ମାଗିଥିଲେ ସୁକେଶ। ଭିଡିଓ ଭାଇରାଲ ହୋଇଯିବା ଡରରେ ଚାହତ ସୁକେଶଙ୍କୁ ୧୦ଲକ୍ଷ ମଧ୍ୟ ଦେଇଥିଲେ ବୋଲି କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LNAByQu
No comments:
Post a Comment