ବୟସ ୮୦ ଛୁଇଁଲାଣି। ଅଣ୍ଟା ସଳଖିବାକୁ ଆଉ ବଳ ନାହିଁ। ଚମ ଧୁଡ଼ିକି ଯିବା ସହ ଆଖିକୁ ମଧ୍ୟ ଭଲ ଦିଶୁନି। ହେଲେ କାଳିଆ ପ୍ରେମ କରିଛି ବାୟା। ତେଣୁ ପର ଉପରେ ଆଶ୍ରା ହେବା ବୟସରେ ନିଜେ ସାଇକେଲ ଧରି ଉତ୍ତରପ୍ରଦେଶରୁ ପୁରୀକୁ ଛୁଟି ଆସିଛନ୍ତି ବୃଦ୍ଧ । କାଳିଆ ଦର୍ଶନ କଲେ ଏ ଜନ୍ମ ସାର୍ଥକ ହେବ ବୋଲି ଆଶା ରଖିଛନ୍ତି। ଏପରି ଜଣେ କାଳିଆପ୍ରେମୀ ହେଉଛନ୍ତି ୮୦ ବର୍ଷୀୟ ବୃଦ୍ଧ ସନ୍ୟାସୀ । ତାଙ୍କ ନାଁ ଜଗଦୀଶ ମହାରାଜ l
ଜଗଦୀଶ ମହାରାଜଙ୍କ ଘର ଉତ୍ତରପ୍ରଦେଶରେ । ଦୀର୍ଘ ବର୍ଷ ହେଲା ସେ ସନ୍ୟାସୀ ହୋଇ ସାରିଥିବା ବେଳେ ପରିବାର ତ୍ୟାଗ କରି ସାରିଛନ୍ତି। ତାଙ୍କୁ ଏବେ ବୟସ ୮୦ ଛୁଇଁଲାଣି। ହେଲେ କାଳିଆର ମୁହଁ ତାଙ୍କୁ ଅଥୟ କରିବାରୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବାକୁ ସେ ସାଇକେଲ ଧରି ରାମ ଜନ୍ମଭୂମିରୁ ବାହାରି ପଡ଼ିଛନ୍ତି।
ପ୍ରାୟ ୨୦ ଦିନ ପୂର୍ବେ କାଳିଆ ଦର୍ଶନ ପାଇଁ ସାଇକେଲ ଧରି ଉତ୍ତରପ୍ରଦେଶରୁ ବାହାରିଛନ୍ତି ଜଗଦୀଶ ମହାରାଜ । ଇତି ମଧ୍ୟରେ ସେ ଓଡ଼ିଶାରେ ପ୍ରବେଶ କରି ସାରିଛନ୍ତି। କାଳିଆ ପାଦ ତଳେ ପହଞ୍ଚିବାକୁ ଆହୁରି ବହୁ ବାଟ ବାକି ଅଛି। ତଥାପି ତାଙ୍କ ମନ ଥକିନି କି ଶରୀର ହାଲିଆ ହୋଇ ପଡ଼ିନି।
ବାଟରେ ଯାହା ମିଳୁଛି ଖାଇବା ସହ ରାତି ହେଲେ ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜି ଦେଉଛନ୍ତି । ଏହି ହାଡ଼ଭଙ୍ଗା ଶୀତକୁ ସମ୍ଭାଳିବାକୁ ବୃଦ୍ଧଙ୍କ ପାଖରେ ସେପରି କିଛି ଶୀତ ବସ୍ତ୍ର ବି ନାହିଁ । ତଥାପି ସେ ନିଜ ଲକ୍ଷ୍ୟରେ ଅଟଳ । ସକାଳ ହେଲେ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠୁଛନ୍ତି। ସାଇକେଲ ଧରି ପୁରୀମୁହାଁ ହେଉଛନ୍ତି।
ସନ୍ୟାସୀ ବାବା ଜଗଦୀଶ ସୋନପୁରରେ ପହଞ୍ଚିଲା ପରେ କିଛି ସ୍ଵେଚ୍ଛସେବୀ ତାଙ୍କୁ ରାସ୍ତା ଦେଖାଇଦେବା ସହ ଖାଦ୍ୟ ଖାଇବାକୁ ଦେଇଥିଲେ । ଏହାପରେ ସନ୍ୟାସୀଜଣକ ପୁଣି ଥରେ ନିଜ ପଥରେ ଅଗ୍ରସର ହୋଇଥିଲେ।
ପୁରୀରେ ପହଞ୍ଚି କାଳିଆ ଦର୍ଶନ କରିବା ଆଶାରେ ଏତେ ବାଟ ଚାଲି ଆସିଥିବା କହିଛନ୍ତି ବୃଦ୍ଧଜଣକ । ଏହାପରେ ସେଠାରୁ ରାମେଶ୍ୱରମ ଆଡ଼େ ଅଗ୍ରସହ ହେବେ ବୋଲି ବି କହିଛନ୍ତି।
https://youtu.be/H0phfczWogY
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lJgFNDi
No comments:
Post a Comment