ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ପାକିସ୍ତାନ କ୍ରିକେଟରଙ୍କୁ ସାମିଲ କରାଯାଉ ନଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ବିସିସିଆଇକୁ ଅହଂକାରୀ କରିବା ସହ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି। ଏଥିସହ ପାକିସ୍ତାନ ଖେଳାଳିଙ୍କୁ ଆପିଇଏଲରେ ଖେଳିବାକୁ ଭାରତ ସୁଯୋଗ ଦେଉ ନଥିବାରୁ ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।
ଆଇପିଏଲର ୨୦୦୮ ପ୍ରଥମ ସଂସ୍କରଣରେ ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲରେ ଦେଖିବାକୁ ମିଳିଥିଲା। କିନ୍ତୁ ସେହିବର୍ଷ ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କୀ ହମଲା ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ଶେଷରେ ଭାରତ ସରକାର ପାକିସ୍ତାନ ଖେଳାଳିଙ୍କ ଆଇପିଏଲ ଭାଗିଦାରୀ ଉପରେ ବ୍ୟାନ ଲଗାଇ ଦେଇଥିଲେ।
ସେବେଠାରୁ ଆଉ ପାକିସ୍ତାନ ଖେଳାଳି ଆଇପିଏଲରେ ଭାଗ ନେଇ ପାରୁ ନାହାନ୍ତି। ବିଶ୍ୱର ସବୁ ଦେଶର ଖେଳାଳି ଆଇପିଏଲରେ ଭାଗ ନେବାକୁ ସୁଯୋଗ ପାଉଥିବା ବେଳେ ପାକିସ୍ତାନ ଏଥିରୁ ବଞ୍ଚିତ ହେବା ଘଟଣାକୁ ଇମ୍ରାନ ଖାନ ସହଜରେ ଗ୍ରହଣ କରି ପାରୁନାହାନ୍ତି।
ଏଥିପାଇଁ ସେ ବିସିସିଆଇ ଓ ଭାରତ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟାଇମ୍ସ ରେଡିଓକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ପାକିସ୍ତାନ କ୍ରିକେଟରଙ୍କୁ ଭାରତୀୟ କ୍ରିକେଟ ବୋର୍ଡ ବାହାର କରିବା ଘଟଣା ମୋତେ ଆଶ୍ଚର୍ଯ୍ୟ କରୁଛୁ। ଏହା ସେମାନଙ୍କର ଅହଂକାର ଭାବକୁ ଦର୍ଶାଉଛି। ଯଦି ଭାରତ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଅନୁମତି ଦିଆଯାଉନି, ତା’ହେଲେ ପାକିସ୍ତାନ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ। କାରଣ ଆମ ପାଖରେ ଅନେକ ଦକ୍ଷ ଯୁବ କ୍ରିକେଟର ରହିଛନ୍ତି।”
ଇମ୍ରାନ ଆହୁରି କହିଛନ୍ତି ଯେ ବିସିସିଆଇ ଅନେକ ପାଣ୍ଠି ଯୋଗାଡ଼ କରିବାକୁ ସକ୍ଷମ ହେଉଥିବାରୁ ନିଜର ହୁକୁମାତି କ୍ରିକେଟର ସବୁ କ୍ଷେତ୍ରରେ ଦେଖାଉଛି। ସେ କହିଛନ୍ତି, “ପାକିସ୍ତାନ ଓ ଭାରତ ମଧ୍ୟରେ ଅତ୍ୟନ୍ତ ଦୁଃଖଦ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ସମ୍ପର୍କ ରହିଛି। କ୍ରିକେଟ କ୍ଷେତ୍ରରେ ଭାରତ ଯେଉଁଭଳି ନିଜକୁ ସୁପରପାୱାର ଭାବେ ଚିତ୍ରଣ କରୁଛି, ସେଥିରୁ ତା’ର ଅହଂକାର ଭାଗ ପ୍ରତିଫଳିତ ହେଉଛି।
ଏହା ପଛର କାରଣ ହେଲା ଅଧିକ ପାଣ୍ଠି ସୃଷ୍ଟି କରିବାରେ ଭାରତ ସକ୍ଷମ। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଅଧିକ ଅର୍ଥ ଯୋଗାଡ଼ କରିପାରୁଛି। ଭାରତ ନିଜକୁ ସୁପରପାୱାର ଭାବେ ଦର୍ଶାଇ କିଏ ଖେଳିବେ ଓ କିଏ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଉଛି।”
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jN0oaXJ
No comments:
Post a Comment