ସତ୍ୟପାଠରେ ଉଲ୍ଲେଖ କରିଥିଲେ ମିଥ୍ୟା ତଥ୍ୟ । ପଢ଼ିଲେଖି ନ ଜାଣି ବି ନିଜେ ପାଠୁଆ ବୋଲି ଉଲ୍ଲେଖ କରି ଜିତିଥିଲେ ନିର୍ବାଚନ । ଆଉ ସରପଞ୍ଚ ଭାବେ ପ୍ରାୟ ବର୍ଷେ କାଳ ଗାଦିରେ ବସି କ୍ଷମତା ଉପଭୋଗ କରିଥିଲେ। ମାତ୍ର ଏନେଇ କେସ୍ ହୋଇଥିବା ବେଳେ କୋର୍ଟ ଏହାର ଶୁଣାଣି କରି ଏପରି ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଅଯୋଗ୍ୟ ଘୋଷିତ ହୋଇଥିବା ସରପଞ୍ଚ ହେଲେ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତ ସରପଞ୍ଚ କୈଳାସ ଚନ୍ଦ୍ର ଦେହୁରୀ ।
୨୦୨୨ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୈଳାସ ଚନ୍ଦ୍ର ଦେହୁରୀ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତ ପାଇଁ ସରପଞ୍ଚ ଭାବେ ନିର୍ବାଚନ ଲଢ଼ିଥିଲେ। ଉକ୍ତ ସମୟରେ ସେ ସତ୍ୟପାଠରେ ମିଥ୍ୟା ତଥ୍ୟ ଉଲ୍ଲେଖ କରିଥିଲେ। କୈଳାସ ପାଠ ପଢ଼ି ଜାଣି ନ ଥିବା ବେଳେ ସତ୍ୟପାଠରେ କିନ୍ତୁ ପାଠ ପଢ଼ିଥିବା ଉଲ୍ଲେଖ କରିଥିଲେ।
ଏହାପରେ ନିର୍ବାଚନ ଲଢ଼ି ନିକଟତମ ପ୍ରତିଦ୍ୱନ୍ଦ୍ୱି ପୁରୁଷୋତ୍ତମ ଦେହୁରୀଙ୍କୁ ହରାଇ ସରପଞ୍ଚ ପଦରେ ବସିଥିଲେ। ମାତ୍ର କୈଳାସ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି ଉଲ୍ଲେଖ କରି ପୁରୁଷୋତ୍ତମ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରାୟ ବର୍ଷେ ହେବ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଏବେ ରାୟ ପ୍ରକାଶ କରିଛନ୍ତି ଢେଙ୍କାନାଳ ଜୁନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ।
ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ ୧୯୬୪ ଧାରା ୧୧(ଖ) ଅନୁଯାୟୀ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଏଥିସହ ତାଙ୍କଠୁ ଅଳ୍ପ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ସରପଞ୍ଚ ଭାବେ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏବେ କୈଳାସଙ୍କ ପଦ ରଦ୍ଦ ହୋଇ ଯାଇଥିବା ବେଳେ ପୁରୁଷୋତ୍ତମ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି।
ଏହି ଘଟଣାରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବିଡିଓଙ୍କୁ ବି ପକ୍ଷଭୁତ କରିଛନ୍ତି କୋର୍ଟ। କୈଳାସ ସତ୍ୟପାଠ ଦାଖଲ କରିଥିବା ବେଳେ ବିଡିଓ କିପରି ଏ ସମ୍ପର୍କରେ ଜାଣି ପାରିଲେନି ବୋଲି ପଚାରିଛନ୍ତି କୋର୍ଟ। ଏଥିସହ ଭବିଷ୍ୟତରେ ଏହି ଦିଗ ଉପରେ ନଜର ରଖିବାକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ah3eswl
No comments:
Post a Comment