ହିଣ୍ଡେନବର୍ଗ ରିପୋର୍ଟ ପରେ ଆଶାତୀତ କ୍ଷତି ସହିଥିବା ଆଦାନି ଗ୍ରୁପ୍ ଏବେ ସିଏନଜି ଓ ପିଏନଜି ଦାମ ହ୍ରାସ କରିଛି। ଆଦାନି ଟୋଟାଲ ଗ୍ୟାସ୍ ଲିଃ(ATLC) ଆଜିଠାରୁ ସିଏନଜି ଓ ପିଏନଜି ଦାମ ହ୍ରାସ କରିଥିବା ଘୋଷଣା କରିଛି। ସଂସ୍ଥା ପକ୍ଷରୁ ସିଏନଜି କେଜି ପିଛା ୮.୧୩ ଟଙ୍କା ଓ ପିଏନଜି ଦାମ ୫.୦୬ ଟଙ୍କା ହ୍ରାସ କରାଯାଇଛି। ୮ ତାରିଖ ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି।
ଗୁରୁବାର କେନ୍ଦ୍ର କ୍ୟାବିନେଟ ଗ୍ୟାସ ଦର ପାଇଁ ନୂଆ ଗାଇଡଲାଇନକୁ ଅନୁମୋଦନ ଦେଇଥିଲା। ଭାରତର ପ୍ରାକୃତିକ ଗ୍ୟାସ ଦାମ ବିଶ୍ୱ ଅଶୋଧିତ ଦର ସହ ଲିଙ୍କ କରିବାକୁ କ୍ୟାବିନେଟ ଅନୁମୋଦନ ଦେବା ପରେ ଏଟିଏଲସି ଏପରି ପଦକ୍ଷେପ ନେଇଛି।
କମ୍ପାନୀ କହିଛି ଯେ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ସିଏନଜି ଓ ପିଏନଜି ବ୍ୟବହାର କରୁଥିବା ଗ୍ରାହକ ଉପକୃତ ହେବେ। ଗ୍ରାହକ ମାନେ ସିଏନଜି ବ୍ୟବହାର କରି ପେଟ୍ରୋଲ ତୁଳନାରେ ୪୦% ଅର୍ଥ ସଞ୍ଚୟ କରିପାରିବେ। ସେହିପରି ଏଲପିଜି ତୁଳନାରେ ଘରେ ବ୍ୟବହାର ହେଉଥିବା ପିଏନଜି ୧୫% ଶସ୍ତାରେ ପାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ କମ୍ପାନୀ ନୂଆ ଦର ସମ୍ପର୍କରେ ଗାଇଡଲାଇନ ଜାରି କରିଥିବା ଏଟିଏଲସି କହିଛି।
ଏହାପୂର୍ବରୁ ଶୁକ୍ରବାର ଗେଲ ଇଣ୍ଡିଆ ଅନୁଦାନରେ ପରିଚାଳିତ ମହାନଗର ଗ୍ୟାସ ମଧ୍ୟ ସିଏନଜି ଦାମକୁ କେଜି ପିଛା ୮ ଟଙ୍କା ଓ ପିଏନଜି ଦାମ ୫ ଟଙ୍କା ହ୍ରାସ କରିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4ojg1Ix
No comments:
Post a Comment