ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ରବିବାର ପଞ୍ଜାବ ପୁଲିସ ଗିରଫ କରିଛି। ପଞ୍ଜାବର ମୋଗା ଜିଲ୍ଲାର ରୋଡେ ଗାଁରୁ ତାକୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲ୍କୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମାସେରୁ ଅଧିକ ଦିନ ଧରି ଫେରାର ଥିବା ଅମ୍ରିତପାଲ ଗତ ଗୁରୁବାର ଠାରୁ ବେଶ୍ ଚାପରେ ରହିଥିଲା। କାରଣ ସେହିଦିନ ତା’ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ଅଟକ ରଖି ପଚରାଉଚରା କରିଥିଲେ। କିରଣଦୀପ କୌର ଲଣ୍ଡନ ପଳାଇବାକୁ ପ୍ରୟାସ କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା ଓ ସେଠାକୁ ଯିବାକୁ ଅନୁମତି ଦିଆଯାଇ ନଥିଲା। କାରଣ ଅମ୍ରିତପାଲର ପରିବାରର ସମସ୍ତ ସଦସ୍ୟଙ୍କ ସହିତ ବନ୍ଧୁବାନ୍ଧବଙ୍କୁ ଦେଶ ଛାଡ଼ି ନଯିବା ପାଇଁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା। ତଦନ୍ତରେ ସେମାନଙ୍କର ଆବଶ୍ୟକତା ରହିଥିବା ଦର୍ଶାଇ ଏଭଳି ନୋଟିସ୍ ଜାରି କରାଯାଇଥିଲା।
କିରଣଦୀପ କୌର ବ୍ରିଟେନର ନାଗରିକ। ଭାରତରେ ରହିବା ପାଇଁ ତାଙ୍କ ଭିସାର ବୈଧତା ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ରହିଛି। କିନ୍ତୁ ତା’ପୂର୍ବରୁ ସେ ଭାରତ ଛାଡ଼ି ଚାଲିଯିବାକୁ ଚାହୁଁଥିଲେ। କିରଣଦୀପଙ୍କ ଉପରେ ପଞ୍ଜାବ ପୁଲିସ ମଧ୍ୟ ନଜର ରଖିଥିଲା। ଯଦିଓ କିରଣଦୀପଙ୍କ ନାଁରେ ପଞ୍ଜାବରେ କିମ୍ବା ଦେଶର ଅନ୍ୟ କୌଣସି ସ୍ଥାନରେ ମାମଲା ନାହିଁ ବା ସ୍ୱାମୀ ଅମ୍ରିତପାଲଙ୍କ କାର୍ଯ୍ୟରେ ତାଙ୍କର କିଛି ଭୂମିକା ଥିବାର ପ୍ରମାଣ ନାହିଁ, ତଥାପି ତାଙ୍କୁ ପୁଲିସ ଗିରଫ କରିପାରେ ବୋଲି ଅମ୍ରିତପାଲ ସବୁବେଳେ ଭୟ କରୁଥିଲା।
କୁହାଯାଉଛି, ପତ୍ନୀ କିରଣଦୀପ କୌର ପଞ୍ଜାବରେ ରହିଯାଇଥିବାରୁ ଅମ୍ରିତପାଲ ଦେଶରୁ ଫେରାର ହୋଇଯିବାକୁ ଚାହୁଁନଥିଲା। ସେ ଭୟ କରୁଥିଲା ଯେ ଯଦି ସେ ଦେଶ ଛାଡ଼ି ପଳାଇବ, ତା’ହେଲେ ତାକୁ ଫେରାର କରାଇବାରେ ସାହାଯ୍ୟ କରିବା ଅଭିଯୋଗରେ ପୁଲିସ୍ କିରଣଦୀପ କୌରଙ୍କୁ ଗିରଫ କରି ଦେବ। ସେଥିପାଇଁ କୁଆଡ଼େ ଅମ୍ରିତପାଲ ସିଂହ ଚାହୁଁଥିଲା ଯେ ସେ ଦେଶ ଛାଡ଼ିବା ପୂର୍ବରୁ ତା’ ପତ୍ନୀ କିରଣଦୀପ କୌର ଦେଶ ଛାଡ଼ି ପଳାନ୍ତୁ। ହେଲେ ତାହା ସମ୍ଭବ ହୋଇପାରିଲା ନାହିଁ। ୩ ଦିନ ତଳେ କିରଣଦୀପଙ୍କୁ ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରାଯିବା ପରଠୁ ଅମ୍ରିତପାଲ ସିଂହ ଅଧିକ ଡରି ଯାଇଥିଲା। ପତ୍ନୀଙ୍କୁ ପୁଲିସ୍ ଗିରଫ କରି ଦେବ ବୋଲି ଭାବି ସେ ଡରି ଯାଇଥିଲା। ଏହି କାରଣ ପାଇଁ ସେ ଆତ୍ମସମର୍ପଣ କରିଥାଇପାରେ ବୋଲି କୁହାଯାଉଛି। କିନ୍ତୁ ପଞ୍ଜାବ ପୁଲିସ ଆତ୍ମସମର୍ପଣ କଥାକୁ ଖଣ୍ଡନ କରିଛନ୍ତି। ଅମ୍ରିତପାଲ ସିଂହକୁ ଯୋଜନାବଦ୍ଧ ଭାବେ ଗିରଫ କରାଯାଇଥିବା ପଞ୍ଜାବ ପୁଲିସ ପକ୍ଷରୁ କୁହାଯାଇଛି।
ଯଦିଓ କିଛି ପ୍ରମାଣ ନାହିଁ, ତଥାପି ଏହା କୁହାଯାଉଛି ଯେ ଆସୁଥିବା ପାଣ୍ଠିକୁ ଅମ୍ରିତପାଲ ସିଂହ ତା’ ପତ୍ନୀ କିରଣଦୀପ କୌରଙ୍କ ଜରିଆରେ ବ୍ରିଟେନରେ ଜମା କରିଛନ୍ତି।
ଖଲିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ି ବେଶ୍ କିଛି ସମୟ ଧରି ଘୃଣାର ମଞ୍ଜି ପୋତି ଚାଲିଥିବା ତଥା ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିଥିବା ଅମ୍ରିତପାଲ ସିଂହ ଗତ ଫେବ୍ରୁଆରୀ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଫେବ୍ରୁଆରୀ ୨୩ ତାରିଖରେ ସେ ଓ ତା’ର ଶତାଧିକ ସହଯୋଗୀ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଧରି ପଞ୍ଜାବର ଅଜନାଲା ଥାନାକୁ ଜବରଦସ୍ତି ପଶିଥିଲେ। ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଥାନା ଭିତରେ ପଶିଥିଲେ ଓ ଗିରଫ ହୋଇ ସେଠାରେ ଥିବା ସେମାନଙ୍କର ଜଣେ ସାଥୀ ଲବପ୍ରୀତ ସିଂହ ଓରଫ ତୋଫାନକୁ ଛାଡ଼ି ଦେବାକୁ ଦାବି କରିଥିଲେ। ଥାନାକୁ ଜବରଦସ୍ତି ପଶିବା ବେଳେ ସେମାନଙ୍କ ସହିତ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା। ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ତାକୁ ଧରିବା ପାଇଁ ପ୍ରୟାସ କଲା ବେଳେ ସେ ଖସି ଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/B1UIbLc
No comments:
Post a Comment