ଚଳିତ ଆଇପିଏଲରେ ସୋମବାର ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ ଲକ୍ଷ୍ନୌରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଆରସିବି ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ମାତ୍ର ୧୨୬ ରନ୍ କରିଥିଲା। ତେବେ ଏହା ଅଳ୍ପ ବିଜୟ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିନଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ। ଦଳ ୧୯.୫ ଓଭରରେ ୧୦୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଆରସିବି ୧୮ ରନରେ ଏହି ମ୍ୟାଚ୍ ଜିତିଥିଲେ। ଏହି ବିଜୟ ପଛରେ ଥିଲା ଆରସିବିର ବୋଲରଙ୍କ ପ୍ରମୁଖ ଭୂମିକା। ତେବେ ମ୍ୟାଚ୍ ପରେ ଆରସିବିର ବୋଲରଙ୍କୁ ନେଇ ଯେତିକି ଚର୍ଚ୍ଚା ହେବା କଥା ତାହା ହେଲା ନାହିଁ। କାରଣ ମ୍ୟାଚ୍ ପରେ ପରେ ଆରସିବି ଖେଳାଳି ବିରାଟ କୋହଲି ଓ ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା କଳି ହୋଇଯାଇଥିଲା ଆଲୋଚନାର ବିଷୟବସ୍ତୁ।
କୋହଲି ଓ ଗମ୍ଭୀରଙ୍କ କଳିର ଭିତ୍ତିଭୂମି ପଡ଼ିଥିଲା ମ୍ୟାଚ ଶେଷ ହେବାର କିଛି ସମୟ ପୂର୍ବରୁ। ୧୨୭ ରନ୍ର ବିଜୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବ୍ୟାଟିଂ କରୁଥିବା ବେଳେ କ୍ରିଜରେ ଥିଲେ ଅମିତ ମିଶ୍ରା ଓ ନବୀନ ଉଲ ହକ। ମ୍ୟାଚ ଶେଷ ହେବାକୁ ଥିବା ବେଳେ ୧୬/୧୭ ଓଭର ମଝିରେ କୌଣସି କଥାକୁ ନେଇ ନବୀନ ଓ କୋହଲିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଅମିତ ମିଶ୍ରା ସେମାନଙ୍କୁ ବୁଝାସୁଝା କରିବାକୁ ଆସିଥିଲେ। ତେବେ ବୁଝାସୁଝା କଲା ଭିତରେ କୋହଲିଙ୍କ ସହିତ ତାଙ୍କର ବି ଯୁକ୍ତି ତର୍କ ହୋଇଥିଲା। ଅମ୍ପାୟାର ସେମାନଙ୍କୁ ସେଥିରୁ ନିବୃତ୍ତ କରିଥିଲେ। ତେବେ ଏହି ଘଟଣା ଏଇଠି ଶେଷ ହୋଇନଥିଲା।
ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଦୁଇ ପକ୍ଷ ପରସ୍ପର ସହ ହାତ ମିଳାଉ ଥିଲେ ସେତେବେଳେ ନବୀନ ଉଲ ହକ ଓ କୋହଲିଙ୍କ ମଧ୍ୟରେ କିଛି ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା ହୋଇଥିଲା। କୋହଲିଙ୍କ ହାତକୁ ନବୀନ ଠେଲି ଦେଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଓପନିଂ ବ୍ୟାଟର କାଇଲ ମିୟର୍ସ ବିରାଟ କୋହଲିଙ୍କ ପାଖକୁ ଆସି କିଛି କହୁଥିଲେ। ସେତିକିବେଳେ ଗୌତମ ଗମ୍ଭୀର ଆସି କାଇଲଙ୍କୁ ସେଠାରୁ ନେଇ ଯାଇଥିଲେ। ଏହି ସମୟ ଅନ୍ୟ ଖେଳାଳିଙ୍କ ସହ ସେଠାରେ ପହଞ୍ଚିଥିବା ଅଧିନାୟକ କେଏଲ ରାହୁଲ ସ୍ଥିତିକୁ ଶାନ୍ତ କରିବାକୁ ପ୍ରୟାସ କରିବାକୁ ଚାହିଁଥିଲେ। କିନ୍ତୁ ହଠାତ ଗୌତମ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଗଲା। କେଏଲ ରାହୁଲ, ଅମିତ ମିଶ୍ରା ଓ ଉପସ୍ଥିତ ଅନ୍ୟ ଖେଳାଳିମାନେ ସେମାନଙ୍କୁ ସେଥିରୁ ନିବୃତ୍ତ କରି ଦୂରେଇ ନେଇଥିଲେ।
ଷ୍ଟାଡିୟମ ମଝିରେ ବିରାଟ କୋହଲି, ନବୀନ ଉଲ ହକ ଓ ଗୌତମ ଗମ୍ଭୀରଙ୍କ ଏଭଳି ଆଚରଣ ଆୟୋଜକଙ୍କୁ କ୍ଷୁବ୍ଧ କରିଛି। ସେମାନେ ଆଇପିଏଲର ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କର ଶତପ୍ରତିଶତ ମ୍ୟାଚ୍ ଫି’ କାଟି ଦିଆଯାଇଛି। ସେହିପରି ନବୀନ ଉଲ ହକଙ୍କର ୫୦% ମ୍ୟାଚ୍ ଫି’ କାଟି ଦିଆଯାଇଛି।
ଏହା ପୂର୍ବରୁ ୨୦୧୩ ଆଇପିଏଲରେ ବିରାଟ କୋହଲି ଓ ଗୌତମ ଗମ୍ଭୀର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଥିଲେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ଥିଲେ ଆରସିବିର ଅଧିନାୟକ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AIHY2QS
No comments:
Post a Comment