ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡରେ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି। ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।
ବନ୍ଦେ ଭାରତ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା। ବନ୍ଦେ ଭାରତରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି। ପୁରୀରୁ କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଏହା ଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବଢ଼ିବ।
ସେ କହିଥିଲେ, ବନ୍ଦେ ଭାରତ ଟ୍ରେନ୍ ସମସ୍ତଙ୍କୁ ଯୋଡ଼ିବ। ଓଡ଼ିଶା ଓ ପଶ୍ଚିମବଙ୍ଗର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ। ଏହି ଆଧୁନିକ ଟ୍ରେନ୍ ଭାରତର ଅର୍ଥ ବ୍ୟବସ୍ଥାକୁ ଗତି ଦେଉଛି। ପୂର୍ବରୁ କିଛି ବଡ଼ ପ୍ରକଳ୍ପ ହେଲେ ଦିଲ୍ଲୀ ଓ ମୁମ୍ବାଇରେ ସୀମିତ ରହୁଥିଲା। ଏବେ ଦେଶର କୋଣ ଅନୁକୋଣକୁ ସବୁ ପ୍ରକଳ୍ପ ପହଞ୍ଚୁଛି। ବିକାଶରେ ପଛୁଆ ରହିଥିବା ରାଜ୍ୟକୁ ବି ଫାଇଦା ମିଳୁଛି।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ବିଗତ ୯ ବର୍ଷ ହେଲାଣି ଓଡ଼ିଶାକୁ ରେଳ ଅନୁଦାନ ବଢ଼ି ଚାଲିଛି। ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଅନେକ ବର୍ଷ ହେଲା ପଡ଼ି ରହିଥିଲା। ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି। ଓଡ଼ିଶାରେ ଶତ ପ୍ରତିଶତ ରେଳ ବିଦ୍ୟୁତକରଣ କାର୍ଯ୍ୟ ସଂପନ୍ନ ହୋଇଛି। ଖଣିଜ ସଂପଦରେ ଭର୍ତ୍ତି ଓଡ଼ିଶାକୁ ଏହା ଦ୍ୱାରା ଫାଇଦା ମିଳିବ। ବିଦ୍ୟୁତକରଣ ଦ୍ୱାରା ଡିଜେଲରୁ ସୃଷ୍ଟି ପ୍ରଦୂଷଣରୁ ଓଡ଼ିଶାକୁ ମୁକ୍ତି ମିଳିବ।
ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦାବି ଦୋହରାଇଥିଲେ। ଆଗାମୀ ୩/୪ ବର୍ଷ ଭିତରେ ଏୟାରପୋର୍ଟ କାମ ସରିବା ବୋଲି ସେ ଆଶା କରୁଥିବା କହିଥିଲେ। ନିଜେ ପ୍ରଧାନମନ୍ତ୍ରୀ ପୁରୀ ଆସି ଏହାକୁ ଲୋକାର୍ପଣ କରିବେ ବୋଲି କହିଥିଲେ ନବୀନ।
ଏହା ସହିତ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ। ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବା ପାଇଁ ସେ ଦାବି କରିଥିଲେ। ଏହା ସହିତ ଅନୁଗୋଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ଚଲାଇବାକୁ ସେ ଦାବି କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଗୁରୁବାରକୁ ଛାଡ଼ି ସପ୍ତାହର ଅନ୍ୟ ସବୁ ଦିନ ଚାଲିବ। ପୁରୀରୁ ଏହି ଟ୍ରେନ୍ ଦିନ ୧ଟା ୫୦ରେ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QAYdjgm
No comments:
Post a Comment