ଯନ୍ତ୍ରଣା ଜର୍ଜରିତ ଛୁଆଟି ମେଡିକାଲ ବେଡରେ ଛଟପଟ ହେବାର ୬ ଦିନ ପରେ ଆଖି ବୁଜିଲା। ଆଖି ଆଗରେ ନିଜ ଛୁଆ ଚାଲି ଯିବା ପରେ ଭାଙ୍ଗି ପଡ଼ିଥିଲା ହତଭାଗା ବାପା। ଆଉ ଏପରି ଏକ ସମୟରେ ପାଖରେ ଟଙ୍କା ନ ଥିବାରୁ ଛୁଆର ମୃତଦେହକୁ ଘରକୁ ନେବାକୁ ଭାରି ହଇରାଣ ହୋଇଥିଲା ବାପା। ବିନା ଟଙ୍କାରେ ଆମ୍ବୁଲାନ୍ସ ଯୋଗାଡ଼ ହୋଇ ନ ପାରିବାରୁ ଶେଷରେ ସେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ ୨ଶହ କିମି ଯାତ୍ରା କଲା।
ପଶ୍ଚିମବଙ୍ଗରେ ଏପରି ଏକ କଳଙ୍କିତ ଘଟଣା ଘଟିଥିବା ବେଳେ ଓଡ଼ିଶାର ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ତମ୍ବିତୋଫାନ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି ।
ସିଲିଗୁଡ଼ି ଅଞ୍ଚଳର ଆଶିମ ଦେବଶର୍ମା ନିଜ ୫ ମାସର ପୁଅକୁ ଅସୁସ୍ଥତା ହେତୁ ଉତ୍ତର ବଙ୍ଗର ଏକ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ୬ ଦିନ ଚିକିତ୍ସିତ ହେବା ପରେ ଗତ ଶନିବାର ପିଲାଟି ଆଖି ବୁଜିଥିଲା। ଏହା ମଧ୍ୟରେ ଆଶିମଙ୍କ ନିକଟରେ ଥିବା ସବୁ ଟଙ୍କା ସରି ଯାଇଥିଲା।
ପିଲାଟିର ମୃତଦେହକୁ ଘରକୁ ନେବାକୁ ଆଶିମ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେ ସଫା ସଫା ମନା କରି ଏଥିନିମନ୍ତେ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଏପରିକି ୧୦୨ ଯୋଜନାରେ ଚାଲୁଥିବା ଆମ୍ବୁଲାନ୍ସ ସେବା ରୋଗୀଙ୍କୁ ଆଣିବାକୁ ଉଦ୍ଦିଷ୍ଟ, ମୃତଦେହ ନେବା ପାଇଁ ନୁହେଁ ବୋଲି ସେ ସଫା ସଫା ଶୁଣାଇ ଦେଇଥିଲେ।
ଏହାପରେ ଆଶିମ ନିରାଶ ହୋଇ ଏକ ବ୍ୟାଗ୍ରେ ନିଜ ଛୁଆର ମୃତଦେହକୁ ରଖି ଏକ ଯାତ୍ରୀବାହୀ ବସ୍ରେ ଚଢ଼ିଥିଲେ। ଆଉ ସିଲିଗୁଡ଼ିଠୁ ୨ଶହ କିମି ଦୂର ଉତ୍ତର ଦିନାଜପୁର ଜିଲ୍ଲାର କଳିୟାଗଞ୍ଜ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ସେ ବ୍ୟାଗରେ ମୃତଦେହ ନେଇ ଯାଉଛନ୍ତି ବୋଲି କେହି ଜାଣିପାରି ନଥିଲେ।ଗାଁରେ ପହଞ୍ଚି ସେ ପିଲାଟିର ଅନ୍ତିମ ସତ୍କାର କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସରକାରଙ୍କ ସ୍ୱାସ୍ଥ୍ୟ ସାଥୀ ଓ ସ୍ୱାସ୍ଥ୍ୟ ବୀମା ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ବ୍ୟକ୍ତିଙ୍କର ଏକ ଫଟୋ ଟ୍ୱିଟ କରି ସେ ଲେଖିଛନ୍ତି, କ’ଣ ସ୍ୱାସ୍ଥ୍ୟ ସାଥୀ ଯୋଜନା ଏହି ସଫଳତା ହାସଲ କରିଛି? ଏହା ଉନ୍ନତ ବଙ୍ଗଳା ମଡେଲର ଚିତ୍ର କି?
ଏକ ଛୋଟ ଛୁଆର ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି ବୋଲି ଟିଏମ୍ସି ଅଭିଯୋଗ କରିଛି। ଟିଏମ୍ସିର ରାଜ୍ୟସଭା ସାଂସଦ ଶାନ୍ତନୁ ସେନ କହିଛନ୍ତି, ଏକ ଛୋଟ ଛୁଆର ମୃତ୍ୟୁକୁ ନେଇ ବିଜେପି ହୀନ ରାଜନୀତି କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/c8I2xKt
No comments:
Post a Comment