ହାତରେ ଫୁଲ ପ୍ରସାଦର ଚାଙ୍ଗୁଡ଼ି। ଡହ ଡହ ଖରା ଆଉ ଆକ୍ତାମାକ୍ତା ଗୁଳୁଗୁଳି ଭିତରେ ଆସ୍ଥା କହୁଛି ବଣପାହାଡ଼ ଘେରା ଆଦିବାସୀ ବହୁଳ କୋରାପୁଟ ଅଞ୍ଚଳର ପ୍ରାଚୀନ କାହାଣୀ। କାହାଣୀ ତ ନୁହେଁ, ଇଏ ଆଦ୍ୟ ପରମ୍ପରାର ଏକ ଭିନ୍ନ ସାମାଜିକ ଚଳଣୀ। ଯେଉଁଠି ଚାଷ ସାଜିଛି ମୁଖ୍ୟ ଜୀବିକା, ଆଉ ସେହି ଚାଷବାସର ଭଲମନ୍ଦ ଜାଣିବା ପାଇଁ ଜୟପୁର ବ୍ଲକ୍ ଗଡ଼ପଦର ଗାଁରେ ହୋଇଛି ଆସର। ଜମିଛି ମା’ ବିରିପାଣିଙ୍କ ଯାତ୍ରା। ଆଧାତ୍ମିକତାର ଏହି ଯାତ୍ରାରେ ବିଜ୍ଞାନ ନୁହେଁ, ବିଶ୍ୱାସ ବଳରେ ବାରିହୁଏ ପାଣିପାଗର ସ୍ଥିତି। ଆସ୍ଥା ଜରିଆରେ ଆକଳନ କରିହୁଏ ବୃଷ୍ଟିପାତର ଅବସ୍ଥିତି। ମା’ ବିରିପାଣିଙ୍କ ଅଦୃଶ୍ୟ ଶକ୍ତିବଳରେ ମୌସୁମୀ ବାୟୁର ଗତିବିଧିଠୁ ଆରମ୍ଭ କରି ବୃଷ୍ଟିପାତର ପରିମାଣ ଯାଏଁ ଆକଳନ କରିଥାନ୍ତି ପୂଜକ। ଆଉ ସେହି ଅନୁଯାୟୀ, ଚାଷକାର୍ଯ୍ୟ ଅନୂକୁଳ କରେ ଚଷାପୁଅ। କେବଳ ଚାଷବାସ ନୁହେଁ, ବିରିପାଣି ମା’ଙ୍କ ପୂଜାର୍ଚ୍ଚନା କଲେ ରୋଗଦୁଃଖ ମଧ୍ୟ ଦୂରେଇ ଯାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।
ପ୍ରତିବର୍ଷ ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ସପ୍ତମୀରୁ ଦଶମୀ ଭିତରେ ପଡୁଥିବା ଶନିବାର ହୋଇଥାଏ ମା’ ବିରିପାଣିଙ୍କ ଯାତ୍ରା। ପ୍ରଥମେ ପୀଠରେ ପୂଜାର୍ଚ୍ଚନା ହୁଏ। ପରେ ଦେବୀ ଖୁଣ୍ଟକୁ ଧରି କଣ୍ଡାମାଳି ପାହାଡ ଉପରକୁ ଯାଆନ୍ତି ପୂଜକ। ଆଉ ସେହି ପାହାଡ଼ର ପଥରରେ ଥିବା ୩ଟି ଗାତ୍ରରେ ପୂଜାର୍ଚ୍ଚନା କରିଥାଆନ୍ତି। ତା’ସହ ଜିଅନ୍ତା କୁକୁଡ଼ାକୁ ଭିତରକୁ ଛାଡ଼ିଥାଆନ୍ତି। ଏହି ପ୍ରକ୍ରିୟା ପରେ ପଥର ଗାତରେ ଥିବା ପାଣିକୁ ଛୁଇଁ ପୂଜକ ବୃଷ୍ଟିପାତର ଆକଳନ କରିଥାଆନ୍ତି। ମା’ଙ୍କ ଯାତ୍ରାବେଳେ ବନବାସୀ, ଆଦିବାସୀ, ଗିରିଜନ ସମସ୍ତେ ମାନସିକ ରଖି ମା’ ବିରିପାଣିଙ୍କୁ ପୂଜା କରିବା ସହ ପାଣିକୁ ନେଇଥାନ୍ତି। ବିଶ୍ୱାସ ରହିଛି ଏହି ପାଣି ସେବନ ଦ୍ୱାରା ରୋଗ ବୈରାଗ ଭଲ ହୋଇଥାଏ।
ମା’ ବିରିପାଣିଙ୍କ ପାଖରେ ପୂଜା କରିବା ପାଇଁ ଶ୍ରଦ୍ଧାଳୁମାନେ ଯାଉଛନ୍ତିଆଦିବାସୀ ସଂସ୍କୃତି ଗବେଷକ ଡ଼.ପରେଶ ରଥ କହିଛନ୍ତି, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ଗୁଣିଆ ଏବଂ ଦିଶାରୀମାନେ ଓଡ଼ିଶାର କୋରାପୁଟ୍ରେ ଏକତ୍ରିତ ହୋଇଥାଆନ୍ତି। ତା’ପରେ ମା’ ବିରିପାଣିଙ୍କ ପାଖରେ ଯାତ୍ରା ଆରମ୍ଭ ହୋଇଥାଏ। ଯାତ୍ରା ଦିନ ପୂଜା ସାରିବା ପରେ ଗୁଣିଆ ପାଣିପାଗ ନିର୍ଦ୍ଧାରଣ କରିଥାଆନ୍ତି। ଚଳିତବର୍ଷ କେତେ ପରିମାଣରେ ବର୍ଷା ହେବ? କେତେଦିନ ଧରି ବର୍ଷା ହେବ? ସେ ସମ୍ପର୍କରେ ପୂଜକ ସୂଚନା ଦେଇଥାଆନ୍ତି ବୋଲି ଡ଼.ପରେଶ ରଥ କହିଛନ୍ତି।
ରିପୋର୍ଟ-ଜୟପୁରରୁ ଟି.ଗୌରୀଶଙ୍କର
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/MBVImj0
No comments:
Post a Comment