ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ଅପେକ୍ଷା କରିଛନ୍ତି ତିନି ରଥ। ଅପେକ୍ଷା କରିଛନ୍ତି ଅଗଣିତ ଭକ୍ତ। କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆଠାକୁର। କାରଣ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର।
ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଥିବ। ୭ଟା ୧୦ରେ ସୂର୍ଯ୍ୟ ପୂଜା ହେବା ପରେ ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ହେବ। ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ଠିକ୍ ୪ଟାରେ ରଥ ଟଣା ପାଇଁ ସମୟ ସ୍ଥିର ହୋଇଛି।
ରଥଯାତ୍ରା ନିମନ୍ତେ ପୁରୀରେ ହୋଇଛି ବ୍ୟାପକ ବନ୍ଦୋବସ୍ତ। ୧୮୦ ପ୍ଲାଟୁନ୍ ଫୋର୍ସ ସହିତ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଓ ଜାହାଜ ମୁତୟନ ହୋଇଛି। ସିସିଟିଭି ଓ ଡ୍ରୋନ ଦ୍ୱାରା ପୂରା ସହର ଉପରେ ରଖାଯାଇଛି ନଜର।
ଅନ୍ୟପକ୍ଷରେ ୧୫ ଦିନର ଅଣସର ପରେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ହଜାର ହଜାର ଭକ୍ତ। ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ ଭକ୍ତ। ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା। ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ନବଯୌବନ ବେଶରେ ଚକା ଆଖିକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ଭକ୍ତ, ଶ୍ରଦ୍ଧାଳୁ ଏବଂ ସେବାୟତ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VDSFG37
No comments:
Post a Comment