୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ଏହି କଥା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।
ସେ କହିଛନ୍ତି, ବର୍ତ୍ତମାନ ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ଚାପ ପକାଇଥିଲା। ତେଣୁ ସେମାନେ ଏକାଠି ହୋଇ ଇଣ୍ଡିଆ (I.N.D.I.A) ନାଁରେ ମେଣ୍ଟ କରିଛନ୍ତି। ୨୬ଟି ଦଳ ବସି ଆଲୋଚନା କରିବା ପରେ ଏହି ମେଣ୍ଟ ଗଠନ ହୋଇଛି। ତେବେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।
ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗେହଲଟ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରୀ ହେବା ଉଚିତ ନୁହେଁ। ବିଜେପି ମାତ୍ର ୩୧% ଭୋଟରେ କ୍ଷମତାକୁ ଆସିଛି। ବାକି ୬୯% ଭୋଟ ତାଙ୍କ ବିପକ୍ଷରେ ଯାଇଛି। ଗତମାସରେ ବେଙ୍ଗାଲୁରୁରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିବା ବେଳେ ଏନ୍ଡିଏ ପୂରା ଡରି ଯାଇଥିଲା।
ଗେହଲଟ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୫୦% ଭୋଟ୍ ପାଇବା ପାଇଁ ଉଦ୍ୟମ କରୁଛି ବୋଲି କୁହାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେହି ସଫଳତା ମିଳିବ ନାହିଁ। ଯେତେବେଳେ ମୋଦି ଲୋକପ୍ରିୟତାର ଶୀର୍ଷରେ ଥିଲେ, ସେତେବେଳେ ସେ ୫୦% ଭୋଟ୍ ହାତେଇ ପାରି ନଥିଲେ। ୨୦୨୪ ନିର୍ବାଚନରେ ସେମାନଙ୍କ ଭୋଟ୍ ହାର ହ୍ରାସ ପାଇବ। ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିବ କିଏ ପ୍ରଧାନମନ୍ତ୍ରୀ ହେବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Nkvm1B8
No comments:
Post a Comment