ଅସ୍ତ୍ରୋପଚାର ସମୟରେ ରୋଗୀ ମୃତ୍ୟୁକୁ ନେଇ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ର।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସଞ୍ଜୁଲତାଙ୍କର ଗର୍ଭାଶୟରେ ଛୋଟ ଟ୍ୟୁମର ହୋଇଥିଲା। ଡାକ୍ତର ଦେଖାଇ ମେଡିସିନ୍ ଖାଇବା ପରେ ତାହା ଟିକିଏ କମି ଯାଇଥିଲା। ହେଲେ ଡାକ୍ତର ଅପରେସନ କରି ତାକୁ ବାହାର କରି ଦେବାକୁ ପରାମର୍ଶ ଦେଇଥିଲେ। ବୁଧବାର ଦିନ ଅପରେସନ କରିବା ପାଇଁ ସଞ୍ଜୁଲତା ମୋଟେଲ୍ ଛକ ସ୍ଥିତ ଏକ ଘରୋଇ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ। ସେହି ଦିନ ଅପରେସନ ହେବ ବୋଲି ସଞ୍ଜୁଲତାଙ୍କୁ କିଛି ଖାଇବାକୁ ଦିଆଯାଇ ନଥିଲା। ହେଲେ ରାତିରେ ଡାକ୍ତର ଆସି ନାହାନ୍ତି ବୋଲି କହି ଅପରେସନ କରାଯାଇ ନଥିଲା। ଗୁରୁବାର ଅପରେସନ ହେବ ବୋଲି କୁହାଯାଇଥିଲା। ଗୁରୁବାର ରାତି ୧୦ଟା ସମୟରେ ଅପରେସନ ହୋଇଥିଲା। ୧୨ ଟା ବେଳେ ଅପରେସନ ସରିଥିଲା। ଅପରେସନ ସରିବାର କିଛି ସମୟ ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ଫଳରେ ନର୍ସିଂହୋମରେ ଆଜି ସକାଳେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ।
ଅନ୍ୟ ପକ୍ଷରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଏନେଇ ସମ୍ପୃକ୍ତ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4ysi9jS
No comments:
Post a Comment