ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂକୁ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ୱ ।
ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ତିନିର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଅଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ତେବେ ଯଦି ସବୁ ଠିକ୍ ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।
ଏହାରି ମଧ୍ୟରେ ଚନ୍ଦ୍ରୟାନ-୩ରୁ ଆସିସାରିଛି ଚନ୍ଦ୍ରର ନୂଆ ଫଟୋ। ଲ୍ୟାଣ୍ଡର ପଠାଇଛି ଏହି ନୂଆ ଫଟୋ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି ।
ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ସମଗ୍ର ଦେଶରେ ଚାଲିଛି ପୂଜାର୍ଚ୍ଚନା । ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ବେଳେ ଭିସିରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ।ଦ.ଆଫ୍ରିକାରୁ ଭିସିରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ସ୍କୁଲ ପିଲାମାନେ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ସମସ୍ତ ସରକାରୀ ସ୍କୁଲ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପିଲାମାନେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଯେପରି ଭଲ ଭାବେ ଦେଖି ପାରିବେ ତାହାର ବ୍ୟବସ୍ଥା କରାଯାଇଛି।
ଉତ୍ତର ପ୍ରଦେଶର ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା୨୭ ମିନିଟ୍ରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ପ୍ରକ୍ରିୟା ଇସ୍ରୋ ୱେବସାଇଟ୍, ୟୁଟ୍ୟୁବ, ଡିଡି ଚ୍ୟାନେଲ୍ରେ ଟେଲିକାଷ୍ଟ କରାଯିବ । ତେଣୁ ସ୍କୁଲ ପିଲାମାନେ ଯେପରି ଏହି ପ୍ରକ୍ରିୟାକୁ ଦେଖିବାକୁ ମିସ୍ ନ କରନ୍ତି ସେମାନଙ୍କ ନିମନ୍ତେ ସନ୍ଧ୍ୟା ୫ଟା୧୫ରୁ ୬ଟା୧୫ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କରାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fYVDNOc
No comments:
Post a Comment