ସକାଳୁ ସକାଳୁ ସମୁଦ୍ର ଭିତରେ ସୃଷ୍ଟି ହେଲା ଶକ୍ତିଶାଳୀ ଭୂକମ୍ପ। ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୦ ଥିଲା।
ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି।
ଯଦିଓ ଏହି ଶକ୍ତିଶାଳୀ ଭୂକମ୍ପ ସମୁଦ୍ର ଭିତରେ ହୋଇଛି ତଥାପି ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ହୋଇ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଇଣ୍ଡୋନେସିଆକୁ ସବୁବେଳେ ଭୂକମ୍ପ ବିପଦ ଲାଗି ରହିଥାଏ। ଗତ ୧୯୦୧ ମସିହାରୁ ୨୦୧୯ ମସିହାରେ ରିକ୍ଟର ସ୍କେଲରେ ୭ ତୀବ୍ରତାରୁ ଅଧିକ ପ୍ରାୟ ୧୫୦ରୁ ଅଧିକ ଭୂକମ୍ପ ଆସି ସାରିଛି। ଏହାବାଦା ଇଣ୍ଡୋନେସିଆରେ ବହୁ ଜ୍ୱଳାମୁଖି ବି ରହିଛି। ତେଣୁ ବିପଦ ଆଶଙ୍କା ବହୁଗୁଣିତ ହୋଇ ଯାଉଛି।
ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତରେ ଭୂକମ୍ପ ସୃଷ୍ଟି ହୋଇଥିବା ବେଳେ ଏଥିରେ ୩ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ସେତେବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା। ଗତ ୨୦୦୫ ମସିହା ମାର୍ଚ୍ଚ ୨୮ ତାରିଖରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୧୩ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ତାହା ପୃଥିବୀର ସବୁଠୁ ଭୟଙ୍କର ଭୂକମ୍ପ ମଧ୍ୟରୁ ଚତୁର୍ଥ ଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/i8sRDzv
No comments:
Post a Comment