‘ମୋର ଧନ ସମ୍ପତ୍ତି ଲୋଡ଼ା ନାହିଁ। ସେ ପୁଅ ନିର୍ଯାତନାରେ କଲବଲ ହୋଇ ମୋ’ ଝିଅ ଯେପରି ଜୀବନ ହାରିଦେଲା, ସେ ପୁଅର ବି ସେପରି ଅବସ୍ଥା ହେଉ। ଆଉ କିଛି ମୁଁ ଚାହୁଁନି। ’ ନୟାଗଡ଼ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଗୁମୁରି ଗୁମୁରି କାନ୍ଦୁଥିବା ଜଣେ ମା’ର ଏହା ଥିଲା ଛାତି ତଳର କୋହ। ଭଲ ପାଠ ପଢ଼ୁଥିବା ଝିଅର ମୃତ୍ୟୁ ପାଇଁ ମା’ ଟି ଜଣେ ଯୁବକକୁ ଦାୟୀ କରି ନ୍ୟାୟ ଆଶାରେ ଅନାଇ ରହିଛି।
ମୃତା ଯୁବତୀଜଣକ ହେଲେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ରେ ପଢ଼ୁଥିବା ଇଟାମାଟି ଥାନା ଗୋବିନ୍ଦପୁର ଗାଁର କୁଳମଣି ରାଉତଙ୍କ ଝିଅ ସୋନାଲିକା ରାଉତ ।
ସୋନାଲିକାଙ୍କ ମା’ଙ୍କ କହିବାନୁଯାୟୀ, ଦିଅରଙ୍କ ଚିହ୍ନାପରିଚୟ ନୟାଗଡ଼ ସଦର ଥାନା ବୋଦାପଡ଼ା ଗାଁର ନିରଞ୍ଜନ ପରିଡା ଯୁବକ ଆମ ଘରକୁ ଯିବା ଆସିବା କରୁଥିଲେ। ଇତି ମଧ୍ୟରେ ଝିଅ ସହ ଜଣାଶୁଣା ହେବାରୁ ସେ ଥରେ ଏକ ଫଟୋ ଉଠାଇଥିଲେ। ଏହାପରେ ଉକ୍ତ ଫଟୋକୁ ଏଡିଟିଂ କରି ସେ ତାହାକୁ ଭାଇରାଲ କରି ଦେବାର ଧମକ ଦେଉଥିଲେ। ଏପରିକି ଏଥିନିମନ୍ତେ ଝିଅକୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେ ଓ ବିବାହ ପାଇଁ ଚାପ ପ୍ରୟୋଗ କରୁଥିଲେ।
ମାତ୍ର ମୋ’ ଝିଅ ଭଲ ପାଠ ପଢ଼ୁଥିବା ବେଳେ ଏସବୁ କଥା ନିମନ୍ତେ ସେ ବହୁ ଦିନ ହେବ ମାନସିକ ଚାପରେ ରହୁଥିଲା। ଗତକାଲି ଝିଅ ଏ ସଂକ୍ରାନ୍ତରେ ଘରେ କହିବା ସହ ଗଭୀର ଚିନ୍ତାରେ ଥିଲା। ଏହାପରେ ଅପରାହ୍ନରେ ସେ ଫ୍ୟାନରେ ଶାଢ଼ି ଲଗାଇ ଝୁଲି ପଡ଼ିଛି ବୋଲି ତାଙ୍କ ମା’ କହିଛନ୍ତି।
ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମୋ’ ଝିଅର ଯେପରି ଅବସ୍ଥା ହୋଇଛି ସେ ପୁଅର ବି ସେ ଅବସ୍ଥା ହେଉ ବୋଲି ସେ ଜିଦ୍ ଧରି ବସିଛନ୍ତି। ପୁଲିସ୍ ଏହି ମାମଲାର ତଦନ୍ତ କରୁଛି। ଏହି ଘଟଣା ପରେ ନିରଞ୍ଜନଙ୍କ ଫୋନ୍ ସୁଇଚ୍ ଅପ୍ ଥିବା ବେଳେ ତାଙ୍କ ସମ୍ପର୍କରେ କିଛି ସୂଚନା ମିଳି ପାରୁନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GWXf2aO
No comments:
Post a Comment