ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ। ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରେ ବର୍ତ୍ତମାନ ଗୀତା ମେହେଟାଙ୍କ ପାର୍ଥିବ ଶରୀର ରଖାଯାଇଛି।
ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିଛନ୍ତି। ବଡ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିଜନ ମଧ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଗୀତା ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଏହାପରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।
ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ। ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି।
୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ ୧୪ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା ।
ଉଲ୍ଲେଖ ଯୋଗ୍ୟ, ୧୯୬୫ ମସିହାରେ ସେ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ ମସିହାରେ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/m7SbLhF
No comments:
Post a Comment