ଡ଼ ରୀନା ରାଉତରାୟ
ଆଜକୁ ୧୫୦ ବର୍ଷ ତଳେ ଜନ୍ମ ଗ୍ରହଣ କରିଥିବା ଜଣେ ବ୍ୟକ୍ତି ବିଷୟରେ ଏତେ ତର୍କ ବିତର୍କ କାହିଁକି? ଏଥିରୁ ସୂଚିତ ଯେ, ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ଯାହା ତାଙ୍କ ନୀତି ନିୟମ ବିରୋଧୀମାନଙ୍କୁ ଅସ୍ତ୍ୟବ୍ୟସ୍ତ କରି ପକାଉଛି।
ଆଜିର ଇଣ୍ଟରନେଟ ଯୁଗରେ ଗୁଗୁଲ୍ ସର୍ଚ୍ଚ କଲେ ମହାତ୍ମା ଗାନ୍ଧୀ ଓ ଶିଳ୍ପ, ଗାନ୍ଧୀ ଓ ପରିବେଶ, ଗାନ୍ଧୀ ଓ ବିକାଶ, ଗାନ୍ଧୀ ଓ ମହିଳା ସଶକ୍ତିକରଣ, ଗାନ୍ଧୀ ଓ ସ୍ବଚ୍ଛତା ଏମିତି ଅନେକ ଯେଉଁ ସବୁ ବିକାଶର ମୂଳଦୁଆର ସନ୍ଧାନରେ ସମଗ୍ର ବିଶ୍ଵ ବ୍ୟଗ୍ର, ସେସବୁ ଅନେକ ବର୍ଷ ଆଗରୁ ଜଣେ ବ୍ୟକ୍ତିଙ୍କ କଳ୍ପନା କେବଳ ନୁହେଁ ରଚନାତ୍ମକ କାର୍ଯ୍ୟରେ ରୂପାନ୍ତରିତ କରି ସାରିଛନ୍ତି।
ନିଜକୁ ବିଜ୍ଞାପିତ କରିବାର ଏହି ସମୟରେ ଆମର ମୁଣ୍ଡିଆଳମାନଙ୍କୁ ଅନ୍ୟ କୌଣସି ଏକ ବ୍ୟକ୍ତିକୁ ଶ୍ରେୟ ନ ଦେବାର ଚାତୁରିରେ ବୋଧହୁଏ ଏ ବିରୋଧାଭାସ। କାରଣ ଯାହା ହେଉନା କାହିଁକି ଗାନ୍ଧିଜୀଙ୍କ ଦର୍ଶନକୁ ଆଜି ସମଗ୍ର ବିଶ୍ଵ ଅନୁକରଣ କରୁଛି। 'ହ୍ଵାଟ ନଟ୍ ଷ୍ଟୋର' ପରି ଏମିତି କୌଣସି ବିଷୟବସ୍ତୁ ବା ସମସ୍ୟା ନାହିଁ ଯାହାର ସମାଧାନ ଗାନ୍ଧୀ ଦର୍ଶନରେ ନାହିଁ।
ଗ୍ରାମ ସ୍ୱରାଜ ମାଧ୍ୟମରେ କୃଷି, କୁଟୀର ଓ ଗ୍ରାମ୍ୟ ଶିଳ୍ପ, ପରିବେଶ ସୁରକ୍ଷା, ସ୍ୱଚ୍ଛତା, ଆର୍ଥିକ ସମତା, ସ୍ୱାସ୍ଥ୍ୟରକ୍ଷା, ପ୍ରାଦେଶିକ ଭାଷାର ସମୃଦ୍ଧି ସହିତ ରାଷ୍ଟ୍ର ଭାଷାର ବିକାଶ, ଟ୍ରଷ୍ଟିସିପ, ନିଶା ନିବାରଣ, ପ୍ରତି ହାତକୁ କାମ ଓ ପ୍ରତି କ୍ଷେତରେ ଫସଲ ଉପରେ ଗୁରୁତ୍ୱ ଦିଏ ଗାନ୍ଧୀ ବିଚାର।
ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ କହିଥିଲେ, 'ଆଗାମୀ ପିଢ଼ି ବିଶ୍ୱାସ କରିପାରିବ ନାହିଁ ଯେ ରକ୍ତମାଂସ ଧାରୀ ଏହି ଭଳି ଜଣେ ବ୍ୟକ୍ତି ଏ ଧରାପୃଷ୍ଠରେ ବିଚରଣ କରୁଥିଲେ ବୋଲି।'
ସତରେ ଯେଉଁମାନେ ଗାନ୍ଧୀଙ୍କୁ ପଢିନାହାନ୍ତି ବା ବୁଝି ନାହାନ୍ତି କେବଳ ସେମାନେ କାହିଁକି ଗାନ୍ଧୀଙ୍କୁ ଅତି ନିବିଡ ଭାବରେ ଜାଣିଥିବା ବୁଝିଥିବା ଲୋକମାନେ ମଧ୍ୟ ଏ କଥା ସତରେ ଭାବୁଛନ୍ତି।ସତରେ ଏ କେମିତି ସମ୍ଭବ? ଆଣ୍ଠୁ ଉପରକୁ ଲୁଗା ପିନ୍ଧୁଥିବା ଛୋଟିଆ ମଣିଷଟିଏ ବାଡ଼ି ଖଣ୍ଡେ ଧରି ଏତେ ବଡ଼ ଅସମ୍ଭବକୁ କିଭଳି ସମ୍ଭବ କରିପାରିଲେ? କେବଳ ସ୍ୱାଧୀନତା ସଂଗ୍ରାମ କାହିଁକି ସମାଜର ପ୍ରତିଟି ରଚନାତ୍ମକ କାର୍ଯ୍ୟରେ ତାଙ୍କର ଅବଦାନ ଆଜିର ପିଢିକୁ ଆଶ୍ଚର୍ଯ୍ୟ ଚକିତ କରୁଛି।
ମହିଳା ସଶକ୍ତିକରଣ, ଆତ୍ମନିର୍ଭର ଭାରତ, ପରିବେଶର ସୁରକ୍ଷା, ନିଶା ନିବାରଣ, ଖଦୀ ଗ୍ରାମ୍ୟଉଦ୍ୟୋଗ, ଗ୍ରାମ ସ୍ଵରାଜ, ନିର୍ଭିକ ସାମ୍ବାଦିକତା ହେଉ ଅବା ମାନବ ଅଧିକାର କଥା କୁହନ୍ତୁ ଯାହା ଅଧୁନା ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରୁଛି ସେଥି ମଧ୍ୟରୁ କେଉଁ କ୍ଷେତ୍ରରେ ବା ତାଙ୍କର ଛାପ ନାହିଁ?
ସେ କେବଳ କଥାରେ କହୁ ନ ଥିଲେ ବରଂ ତାଙ୍କର ଦୈନଦିନ ଜୀବନ ଚର୍ଚ୍ଚା ଓ ଆଚରଣ ଉଚ୍ଚାରଣରେ ଥିଲା ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀର ଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ, ସର୍ବଧର୍ମ ସମାନତ୍ଵ , ସ୍ୱଦେଶୀ ସ୍ପର୍ଶ ଭାବନା, ବିନମ୍ର ବ୍ରତ ନିଷ୍ଠା ପରି ଏକାଦଶ ବ୍ରତର କଠିନ ସାଧନା।
ପ୍ରକୃତି ସହିତ ମିତ୍ରତା ହିଁ ସୁସ୍ଥ ଜୀବନ ଚର୍ଯ୍ୟାର ମୂଳମନ୍ତ୍ର। ଗାନ୍ଧୀ ବିଚାର ଧାରା ସବୁବେଳେ ସକାରାତ୍ମକ ଅଟେ। ସର୍ବପଲ୍ଲୀ ରାଧାକୃଷ୍ଣନ ଉଲ୍ଲେଖ କରିଛନ୍ତି, ନୈତିକତା, ମାନବିକତା ଓ ରାଷ୍ଟ୍ରୀୟତା ଏହି ତିନୋଟି ଥିଲା ମହାତ୍ମାଙ୍କ ଶକ୍ତି ଯାହା ପାଇଁ ସେ ଖୁବ୍ ନିର୍ଭୀକତାର ସହିତ ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ପାରୁଥିଲେ।
ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ, ତ୍ୟାଗ ବିହୀନ ଉପାସନା ପରି ସାତୋଟି ଭୟଙ୍କର ପାପରୁ ନିବୃତ୍ତ ରହିବା ପାଇଁ ଗାନ୍ଧୀ ସବୁବେଳେ କହୁଥିଲେ, ଯାହା ସାମ୍ପ୍ରତିକ ପରିସ୍ଥିତିରେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ତାହା ଆମେ ସମସ୍ତେ ଅନୁଭବ କରୁଛୁ।
ଆଜି ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ସମଗ୍ର ବିଶ୍ଵ ଅନୁଭବ କରୁଛି ଗାନ୍ଧୀଜୀଙ୍କ ଅହିଂସାର ମାର୍ଗ ହିଁ ଏକମାତ୍ର ବିକଳ୍ପ। ଏହାକୁ ଆମେ ସମସ୍ତେ ମଧ୍ୟ ଧୀରେ ମାନିବାକୁ ବାଧ୍ୟ ହେବୁ। ଗାନ୍ଧୀ ଜୀବିତ ଅଛନ୍ତି ଏବଂ ରହିବେ ମଧ୍ୟ ଆଗାମୀ ଯୁବ ପିଢ଼ିଙ୍କ ବିଚାର ମାଧ୍ୟମରେ।
ଆଲବର୍ଟ ଆଇନଷ୍ଟାଇନ ହୁଅନ୍ତୁ ବା ଜର୍ମାନୀର ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ସୁମାଚେର, ଅଥବା ବିଶ୍ୱଗୁରୁ ରବୀନ୍ଦ୍ର ନାଥ ଟାଗୋର, ଏତେ ବଡ଼ ବଡ଼ ବିଜ୍ଞ ବ୍ୟକ୍ତତ୍ୱ ଗାନ୍ଧୀ ଦର୍ଶନରେ ପ୍ରଭାବିତ ହୋଇ ସାରା ବିଶ୍ୱକୁ ଆଲୋକର ମାର୍ଗ ଦେଖାଇଥିଲେ। ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ, ଡର୍ବାନ, ପ୍ରିଟୋରିଆ। ଜୋହାନ୍ସବର୍ଗରେ ତିନୋଟି ଫୁଟ୍ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା।
ଭରତୀୟ ପରମ୍ପରା, କଳା ସଂସ୍କୃତି, ଭାଷା ବିବିଧତାକୁ ସମ୍ମାନ ଦେଇ ଆଧୁନିକ ଭାରତ ନିର୍ମାଣର ସ୍ଵପ୍ନ ଦେଖିଥିବା ମହାତ୍ମାଙ୍କ ବିଚାରଧାରାକୁ ନେଇ ଆଜିର ଯୁବ ପିଢ଼ିଙ୍କ ମଧ୍ୟରେ ସଚେତନତାରେ ଉଣା କାହିଁକି? ଗାନ୍ଧୀ ବିଚାରଧାରାକୁ ରାଷ୍ଟ୍ରର ଭବିଷ୍ୟତ ବଂଶଧରଙ୍କ ନିକଟରେ ସଠିକ ଭାବରେ ପହଞ୍ଚାଇବାର ଯୋଗସୁତ୍ରରେ ଆମମାନଙ୍କର କିଛି ଭୁଲ ରହିଯାଉ ନାହିଁ ତ?
ଫୋ- ୯୪୩୮୨୭୨୧୫୨
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/l6efqOa
No comments:
Post a Comment