ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୭୮ ବର୍ଷୀୟା ଖଲିଦା ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ଜଣାଯାଇଛି। ଜୀବନ ରକ୍ଷା ନିମନ୍ତେ ତୁରନ୍ତ ତାଙ୍କୁ ବିଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇବା ଆବଶ୍ୟକ ହୋଇ ପଡ଼ିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି। ଏଥିନିମନ୍ତେ ଖଲିଦାଙ୍କ ପରିବାର ଅନୁମତି ମାଗିଥିବା ବେଳେ ସେଠାକାର ସରକାର କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି ।
ବାଂଲାଦେଶର ନ୍ୟାସନାଲିଷ୍ଟ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଗତ କିଛି ଦିନ ଧରି ଅସୁସ୍ଥ ରହି ଆସୁଛନ୍ତି। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ଖାଲିଦା ଜିଆଙ୍କୁ ଗତ ଅଗଷ୍ଟ ୯ ତାରିଖରୁ ବାଂଲାଦେଶର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ୧୭ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି।
ଖାଲିଦା ଜିଆଙ୍କୁ ସେଠାରେ ଜୀବନରକ୍ଷାକାରୀ ସପୋର୍ଟରେ ରଖାଯାଇଥିବା ବେଳେ ତାଙ୍କ ଅବସ୍ଥା କିନ୍ତୁ ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି। ସଂକ୍ରମଣ ଏବେ ତାଙ୍କ କିଡ଼ନୀ ଓ ହାର୍ଟକୁ ବ୍ୟାପିଗଲାଣି। ଏପରି ସ୍ଥିତିରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହୋଇ ପଡ଼ିଥିବା ବେଳେ ତାହା ବାଂଲାଦେଶରେ ସମ୍ଭବ ନୁହେଁ ବୋଲି ଡାକ୍ତରୀ ଦଳ କହିଛନ୍ତି।
ଖାଲିଦା ଜିଆଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କ ଉପରେ ଭ୍ରଷ୍ଟାଚାର ଆରୋପ ଲାଗିଥିବା ବେଳେ ୨୦୨୦ ମସିହାରେ ତାଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଏହାପରେ ସେ ନିଜ ଘରେ ନଜରବନ୍ଦୀ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଉନ୍ନତ ଚିକିତ୍ସା ନିମନ୍ତେ ପରିବାର ସଦସ୍ୟ ତାଙ୍କୁ ଜର୍ମାନୀ ନେବାକୁ ସେଠାକାର ସରକାରଙ୍କୁ ଅନୁମତି ମାଗିଥିବା ବେଳେ ଶେଖ ହସିନାଙ୍କ ସରକାର କିନ୍ତୁ ତାହାକୁ ପ୍ରତ୍ୟାଖାନ କରି ଦେଇଛି। ଏଥିନିମନ୍ତେ ଖାଲିଦା ଜିଆଙ୍କୁ ଜେଲ୍ ଯିବାକୁ ପଡ଼ିବ ଓ ତା’ ପରେ ସେ ବିଦେଶ ଯାତ୍ରା ପାଇଁ କୋର୍ଟରେ ଅନୁମତି ମାଗି ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସରକାରଙ୍କ ପକ୍ଷରୁ ବିଦେଶରୁ ଡାକ୍ତର ଆଣି ଖଲିଦା ଜିଆଙ୍କ ଚିକିତ୍ସା କରିବାକୁ ଅନୁମତି ଦିଆଯାଇଥିବା ବେଳେ ତାଙ୍କୁ କିନ୍ତୁ ବିଦେଶ ପଠାଇବାକୁ ଅନୁମତି ଦିଆଯାଇନି।
ଏପରି ସ୍ଥଳରେ ଖାଲିଦା ଜିଆଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ତାଙ୍କ ପରିବାର କ’ଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kun0N4r
No comments:
Post a Comment