ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। କଟକରେ ଗତ ରାତିରୁ ଆରମ୍ଭ ହୋଇସାରିଛି ଭସାଣ। ମେଢ ଗୁଡ଼ିକ ନିର୍ଦ୍ଦିଷ୍ଟ ରୁଟରେ ସାହି ପରିକ୍ରମା କରି ଦେବୀଗଡ଼ା ନିକଟକୁ ଆସୁଛନ୍ତି।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ ପାଇଁ ଜୋରଦାର ଆୟୋଜନ ହୋଇଛି। ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱରରେ ଭସାଣ ଉତ୍ସବରେ ସାମିଲ ହେବେ ବିଭିନ୍ନ ପୂଜା କମିଟି। ମୃଣ୍ମୟୀ ମୁର୍ତ୍ତି ବିସର୍ଜନ ଲାଗି ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଲେଖାଏଁ ଓ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି।
କଟକ ଓ ଭୁବନେଶ୍ୱରରେ ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଭୁବନେଶ୍ୱରରେ ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୧ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ ଚାଲିବ। ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ମଧ୍ୟ ଯାନବାହନ ଯାଇପାରିବ ନାହିଁ। ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ସଚିବାଳୟ ରାସ୍ତା ଦେଇ ଯିବାଆସିବା କରାଯିବ। ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।
ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା। ସେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍ରେ ଯିବ। ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ଗାଇଡ୍ଲାଇନ୍ରେ କୁହାଯାଇଛି।
ସେହିପରି କଟକରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଗାଇଡଲାଇନ ଅନୁସାରେ ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ। କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିବାକୁ ମନା କରାଯାଇଛି। ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲଗାଇଛି ପୁଲିସ। ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କରିପାରିବନାହିଁ। ଚଣ୍ଡୀ ଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ବି କଟକଣା ରହିବ। ମେଢ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଚଳାଚଳ କରିପାରିବ। ତେବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛି କମିଶନରେଟ ପୁଲିସ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/90Ly2lf
No comments:
Post a Comment